ରୋଚକ ହେଉଛି କୋରେଇ ପଲିଟିକ୍ସ । ଟିକଟ ପାଇଁ ଏବେଠୁ ତେଜିଲାଣି ଘଡେଇ ବନାମ ଦାସ ଲିଗାସୀ ୱାର। ଜିଲ୍ଲାର ଦୁଇ ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା, କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ? ହେଲେ ଏ ଦ୍ୱନ୍ଦ୍ୱ ଭିତରେ ଜିଲ୍ଲା ବିଜେଡିର ଗୋଟିଏ ଗୋଷ୍ଠୀ ବବି ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ନାଁ ଉଠାଇଲେଣି ତ ଅନ୍ୟ ଏକ ଗୋଷ୍ଠୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ପତ୍ନୀ ତଥା ଓଲିଉଡ଼ ଅଭିନେତ୍ରୀ ଝିଲିକ୍ଙ୍କୁ ଟିକେଟ୍ ଦେବାକୁ ଦାବି କଲେଣି ।
ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେବା ପରେ ବି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କୋରେଇ ଆସନରେ ପ୍ରାର୍ଥୀ ହେବାକୁ କାଳେ ମନବଳାଉଛନ୍ତି । ଆଉ ତାଙ୍କ ସମର୍ଥକ ବି କୁଆଡେ ତାଙ୍କୁ ପ୍ରାର୍ଥୀ କରିବାକୁ ଜିଦି କରୁଛନ୍ତି । ହେଲେ ପ୍ରଶ୍ନ, ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କୋରେଇ ବିଧାନସଭା ଆସନରେ ଲଢ଼ିବାକୁ ଫେରିବେ ? ନାଁ ତାଙ୍କ କୌଣସି ଅନୁଗତଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେବେ ? ସେମିତି ଯଦି ଘଡ଼େଇ ଲିଗାସିକୁ ଗୁରୁତ୍ୱ ଦିଆଯାଏ, ତହାଲେ ଗୋଟିଏ ପରିବାରରୁ କଣ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ଟିକେଟ୍ ମିଳିବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଚିତ୍ର କିନ୍ତୁ ହେଉନି ସ୍ପଷ୍ଟ ।
ଏଠାରେ କହିରଖୁଛୁ କି, ଏକଦା ଚର୍ଚ୍ଚିତ ନେତା ଅଶୋକ ଦାସଙ୍କ ଗଡ଼ ଥିବା କୋରେଇରୁ ୨୦୦୯ରେ ପ୍ରୀତିରଞ୍ଜନ ଘଡ଼ାଇ, ୨୦୧୪ରେ ଆକାଶ ଦାସ ନାୟକ ଓ ୨୦୧୯ରେ ଅଶୋକ ବଳ ବିଜେଡିରୁ ଜିତିଥିଲେ । କିନ୍ତୁ ଏଥର ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍ କୋରେଇରେ ବିଜେଡିର ଅଙ୍କ ଛିଣ୍ଡୁନି । ତେବେ ସମୟ କହିବ କେବେ କୋରେଇ ଟିକଟ ହେଉଛି ଘୋଷଣା ।