ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ଦେବୀ ରୁକ୍ମିଣୀରୂପୀ ଶ୍ରୀଦେବୀ ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରିଥିଲେ । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥିଲା । ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି ନୀତି ବଢିଥିଲା।ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ଭିତରକୁ ବିଜେ କରାଯାଇ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ ପରେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ(ରୁକ୍ମିଣୀ)କୁ ବିଜେ କରାଯାଇଥିଲା ।
ଶ୍ରୀନଅର ଦୁଆରୁ ଗଜପତି ମହାରାଜା ସେମାନଙ୍କୁ ସମ୍ମାନରେ ବନ୍ଦାପନା କରି ଭିତରକୁ ପାଛୋଟି ନେଇଥିଲେ । ସେଠି ମହାସୁଆର ଦ୍ୱାର ପ୍ରସ୍ତୁତ ପିଠା ପଞ୍ଚୋ ଉପଚାରରେ ପୂଜା ଓ ମଣୋହି ହୋଇଥିଲା । ଗଜପତିଙ୍କ ପରିବାରର ନାରୀମାନେ ଶ୍ରୀନଅରଠାରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିଥିଲେ । ଏହାପରେ ବରକନ୍ୟା ସେବକମାନଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସହି ଦେଇ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ହୋଇଥିଲା ।
ଗତକାଲି ମହାପ୍ରଭୁଙ୍କ ଏହି ଗୁଆଲି ଶୋଭାଯାତ୍ରା ପାଇଁ ଶ୍ରୀମନ୍ଦିର, ବଡଦାଣ୍ଡ ଓ ରାଜନଅରରେ ହୋଇଥିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ବର୍ଣାଢ଼ ଉତ୍ସବ ସାଙ୍ଗକୁ ଓଡିଶୀ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ମାଧ୍ୟମରେ ଭାବ ସମର୍ପଣ ଖେଳିଯାଇଥିଲା । ଶ୍ରୀକ୍ଷେତ୍ରରେ ସବୁନୀତିରେ ସଆନ୍ତଙ୍କ ଛାପ ଥାଏ । ମହାପ୍ରଭୁଙ୍କ ଏହି ଗୁଆଲି ନୀତି ଭଳି ମହାଦେବଙ୍କ ମଧ୍ୟ ଗୁଆଲି ନୀତି ହୁଏ । ମହାପ୍ରଭୁଙ୍କ ଋକ୍ମୁଣି ହରଣ ଭଳି ମହାଦେବଙ୍କ ମଧ୍ୟ କନ୍ୟା ଚୋରି ନୀତି ଦେଖିବାକୁ ମିଳିଥାଏ ।