ପଛକୁ ପଛ ଘୂର୍ଣ୍ଣିବଳୟ ଫଳରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଛି । ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଗତ କିଛିଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଲଗାଣ ବର୍ଷା ହୋଇଛି । କୋରାପୁଟ ପଟାଙ୍ଗୀରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ମୟୂରଭଞ୍ଜ କପ୍ତିପଦାରେ ୬୮, ବାଲେଶ୍ବରର ଜଳେଶ୍ବରରେ ୬୨, ଗଞ୍ଜାମ ବ୍ରହ୍ମପୁରରେ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମପୁର ସହର। ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ଏକାଧିକ ସ୍ଥାନରେ ଘର ଭିତରେ ପାଣି ପଶିଥିଲା । ଆଜି ବି ବର୍ଷା ଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ଆଜି ବିଶେଷ କରି ଉପକୂଳବର୍ତ୍ତି ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟ ଜିଲ୍ଲା ଗୁଡ଼ିକରେ ବି ମଧ୍ୟମ ଧରଣର ବର୍ଷା ହେବ । 15 ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ପଛକୁ ପଛ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ମୌସୁମୀ ଯିବାରେ ମଧ୍ୟ ବିଳମ୍ବ ହେଉଥିବା ସୂଚନା ମିଳିଛି ।