ପୁରୀ: ସକାଳେ ନା, ରାତିରେ ହଁ। ଏଭଳି ବିବୃତି ରଖିଛନ୍ତି ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗତକାଲି ସକାଳେ ଅନୁଷ୍ଠିତ ପରିଚାଳନା କମିଟିର ବୈଠକରେ ଗଜପତି କହିଲେ ଅସାଧାରଣ ପରିସ୍ଥିତିରେ ଅସାଧାରଣ ବ୍ୟବସ୍ଥା କରିବାକୁ ହୁଏ। ଶ୍ରୀମନ୍ଦିର ସତ୍ତ୍ୱଲିପି ଛାଡି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ। ଧାର୍ମୀୟ ବ୍ୟବସ୍ଥାର ପ୍ରକ୍ରିୟା ଶ୍ରୀମନ୍ଦିର ଭିତରେ କରାଯିବ। କ୍ୟାବିନେଟର ନିଷ୍ପତ୍ତି ପରେ ରିଭ୍ୟୁ ପିଟିସନ ଦାଖଲ କରିବା ଆବଶ୍ୟକ ନାହିଁ। ଧାର୍ମୀୟ ବ୍ୟବସ୍ଥାରେ ଗଜପତିଙ୍କ ଭୂମିକା ନାହିଁ। ରାତିରେ ଅନୁଷ୍ଠିତ ଉଭୟ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ୟୁ ଟର୍ଣ୍ଣ ନେଇଛନ୍ତି ଗଜପତି ମହାରାଜା। ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ରଥଯାତ୍ରା ବନ୍ଦ ବାବଦରେ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଅଛି । ଏବେ ବି ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ପିଟିସନ ଦାଖଲ ହୋଇସାରିଛି । ଆଉ ଆମେ ସମସ୍ତେ ଚାହୁଁ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେଉ ।
ଆଉ ପୂର୍ଣ୍ଣ କୋଭିଡ ନିୟମ ଅନୁସାରେ ରଥଯାତ୍ରା ହେଉ ବୋଲି ଆମେ ଆଶା ରଖିଛୁ । ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିବା ପରେ ଗଜପତି ମହାରାଜ କହିଛନ୍ତି କି, ରାଜ୍ୟ ସରକାର ତୁରନ୍ତ ସୁପ୍ରିକୋର୍ଟରେ ପକ୍ଷ ରଖନ୍ତୁ । କୌଣସି ଭକ୍ତ ବଡ଼ଦାଣ୍ଡରେ ରହିବେ ନାହିଁ ବୋଲି ପୂର୍ବରୁ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ରାଜ୍ୟ ସରକାର ସଠିକ ଭାବରେ ଏହାକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରି ପାରିନହାନ୍ତି। ଆଉ ସ୍ୱୟଂ ଜଗନ୍ନାଥ ଚାହୁଁଛନ୍ତି ରଥଟଣା ହେଉ ବୋଲି କହିଛନ୍ତି ଗଜପତି ମହାରାଜ । ଏପରିକି ଆମ ହାତରେ ଏବେ ବି ସମୟ ଅଛି । ସୋମବାର ପର୍ଯ୍ୟନ୍ତ ଆଶା ରଖିବୁ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ଦେବାକୁ ପାଇଁ ଅନୁରୋଧ କରିବୁ । ସୁପ୍ରିମକୋର୍ଟଙ୍କୁ ନୂଆ ପିଟିସନ ବାବଦରେ ଅବଗତ କରାଇଲେ ହୁଏତ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜ ।
