ସବୁଜ ବନାନୀ ସାଙ୍ଗକୁ ପର୍ବତ ଶିଖର ଓ ଝରଣାର କୁଳୁକୁଳୁ ନାଦ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାନଘାଗେରା । ସତେ ଯେପରି ଅଶାନ୍ତ ମନକୁ ଶାନ୍ତ କରିଦିଏ । ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିବା ସଙ୍ଗେସଙ୍ଗେ, ଏଠାରେ ବଣଭୋଜି ମଧ୍ୟ କରିଥାଆନ୍ତି । ବଣଭୋଜି କରିବାକୁ ସ୍ଥାନଟି ବେଶ ଉପଯୁକ୍ତ । ଖାସକରି ଶୀତ ଦିନରେ ଏଠାରେ ପର୍ଯ୍ୟଟଙ୍କ ଗହଳି ଜମେ ।
କେନ୍ଦୁଝର ସହରଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏହି ଜଳପ୍ରପାତ । ଭୁବନେଶ୍ବରରୁ ସିଧା ବସ ଯୋଗେ କିମ୍ବା ଟ୍ରେନ ଯୋଗେ ଆପଣ କେନ୍ଦୁଝର ଯାଇପାରିବେ । ସେଠାରେ ଓହ୍ଲାଇ ଅଟୋରେ ବସି ସାନଘାଗେରା ଯିବାର ବ୍ୟବସ୍ଥା ରହିଛି ।
ଏହି ଜାଗାରେ ପାଦ ପଡିଲେ ପର୍ଯ୍ୟଟକମାନେ ନିଜକୁ ସତେ ଯେପରି ପ୍ରକୃତି କୋଳରେ ହଜାଇ ଦିଅନ୍ତି । ସାନମାଛ କାନ୍ଦଣା ନଦୀର ଜଳ, ତଳକୁ ସ୍ରୋତଟିଏ ହୋଇ ଅବିରତ ବହି ଚାଲିଛି । ଏଠାରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଚିଲଡ୍ରେନ୍ ପାର୍କ ମଧ୍ୟ ରହିଛି ।
ବଣ,ପାହାଡ ଘେରା ଏହି ପର୍ଯ୍ୟଟନ ସ୍ଥଳୀ ନିକଟରେ, ଅନେକ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ମିଳିଥାଏ । ତେବେ ଆଉ ଡେରି କାହିଁକି ? ବର୍ଷା ଛାଡୁ, ଭଲ ପାଗ ଦେଖି ଥରେ ଆସି ବୁଲି ଯାଆନ୍ତୁ, ପ୍ରକୃତିର ଏହି ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀକୁ ।