ଏଇ ମାଟି, ପାଣି ଓ ପବନ ମନେ ପକାଇ ଦେଉଛି 107 ବର୍ଷ ତଳର ବିପ୍ଳବୀ ଯତୀନ୍ଦ୍ର ନାଥ ମୁଖାର୍ଜୀ ଓ ତାଙ୍କ ସାଥୀଙ୍କ ବୀରତ୍ୱର କାହାଣୀ । ୧୯୧୫ ମସିହା ସେପଟେମ୍ବର ମାସ ୯ ତାରିଖ । ବୁଢାବଳଙ୍ଗ ନଦୀକୂଳରେ ଅବସ୍ଥିତ ଚଷାଖଣ୍ଡ ଗାଁରେ ବାଜି ଉଠିଥିଲା ରଣଭେରୀ । ସମଗ୍ର ଅଂଚଳ ଥରହର ହୋଇ ଉଠିଥିଲା । ବ୍ରିଟିଶ ସେନା ସହ ଲଢୁଥିଲେ ବାଘାଯତୀନ ଓ ତାଙ୍କର ଚାରିଜଣ ସହଯୋଗୀ, ଚିତପ୍ରିୟ ରାୟ ଚୌଧୁରୀ, ନରେନ୍ଦ୍ର ଦାଶଗୁପ୍ତ, ମନୋରଞ୍ଜନ ସେନଗୁପ୍ତ ଏବଂ ଯତୀଶ ପାଲ୍ । ଏହି ସମ୍ମୁଖ ଯୁଦ୍ଧରେ ଚିତପ୍ରିୟଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ବାଘା ଯତୀନଙ୍କୁ ସହରର ବାରବାଟୀର ମିଲିଟାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଯତୀନ୍ଦ୍ର ଓ ମନୋରଞ୍ଜନଙ୍କୁ ବାଲେଶ୍ୱର ଜେଲ୍ରେ ଫାଶି ଦିଆଗଲା । ଯତୀଶଙ୍କୁ ଆଜୀବନ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇ ଆଣ୍ଡାମାନ ଜେଲକୁ ପଠାଇ ଦିଆଗଲା ।
ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ବାଘାଯତୀନଙ୍କର ମୃତ୍ୟୁ ହେଲା । ସ୍ୱାଧୀନତା ଆନ୍ଦୋଳନର ଏକ ଉଜ୍ଜ୍ୱଳ ଦୀପଶିଖା ସେଦିନ ନିର୍ବାପିତ ହୋଇ ଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବାଘାଯତୀନଙ୍କ ସ୍ମୃତି ଦିବସ ପାଳନ କରାଯାଉଛି । ଦେଶମାତୃକାର ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଏହି ବୀରମାନଙ୍କ ଗାଥା ଆଜି ଉତ୍ତର ପିଢି ପାଇଁ ପ୍ରେରଣାର ସ୍ରୋତ ହୋଇ ରହି ଯାଇଛି ।
ହେଲେ ଦୁଃଖର ବିଷୟ ଯିଏ ଦେଶ ପାଇଁ ପ୍ରାଣ ବଳି ଦେଲା ତା ପୀଠ ଆଜି ଅବହେଳିତ ଓ ଜର୍ଜରିତ । ବିପ୍ଳବୀ ବୀରମାନଙ୍କର ଜୀବନାଦର୍ଶ ଓ ବ୍ରିଟିଶ ସରକାରଙ୍କ ବିରୋଧରେ ସଶସ୍ତ୍ର ଆନ୍ଦୋଳନରେ ସାମିଲ ହୋଇଥିବା ବୀରଙ୍କ ତ୍ୟାଗର ପ୍ରକୃତ ମୂଲ୍ୟାଙ୍କନ ହୋଇପାରି ନଥିବା ଅଭିଯୋଗ ହୋଇଛି । ବାଘାଯତୀନ ଓ ସାଥୀଙ୍କ ତ୍ୟାଗର ନିଦର୍ଶନ ଭାବେ ଏହି ସ୍ମୃତି ପୀଠର ବିକାଶ ସହ ଉଚିତ ରକ୍ଷଣା ବେକ୍ଷଣ କରାଯାଇ ପାରୁ ନାହିଁ ।
ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ବିପ୍ଳବି ମାନଙ୍କର ବୀରତ୍ୱର ଗାଥା ଏବେ ଜନ ମାନସରୁ ଲିଭିବାକୁ ବସିଲାଣି । ଏପରିକି ପିଠକୁ ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ । ଏହି କାରଣରୁ ପର୍ଯ୍ୟଟକମାନେ ମୁହଁ ଫେରାଇ ନେଉଥିବା ଅଭିଯୋଗ ହୋଇଛି । କେବଳ ସେପଟେମ୍ବର ମାସ ଆସିଲେ ବାଘାଯତୀନଙ୍କ ବଳିଦାନ କଥା ପ୍ରଶାସନର ମନେ ପଡେ । ପିଠର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହାର ରକ୍ଷଣ ରକ୍ଷଣା ବେକ୍ଷଣ ପାଇଁ ବାରମ୍ବାର ବ୍ୟୟ ବରାଦ କରାଯାଉଥିବା କଥା କୁହାଯାଉଛି । ଅନୁଦାନ ଆସିଲେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ କହୁଛି ।
ହେଲେ ଦେଶମାତୃକାର ସେବା ପାଇଁ ପ୍ରାଣ ବଳି ଦେଇଥିବା ଏହି ବୀର ପୁରୁଷମାନଙ୍କର ଐତିହ୍ୟକୁ ଯଦି ପୁନରୁଦ୍ଧାର କରା ନ ଯାଏ ତେବେ ଆମ ଗୌରବମୟ ଇତିହାସ ସବୁଦିନ ପାଇଁ ଅତୀତର ଅନ୍ଧାର ଭିତରେ ହଜିଯିବ । ତେବେ ସମୟ ସ୍ରୋତରେ ଏ ଅଭୁଲା ସ୍ମୃତି ଚିହ୍ନଗୁଡିକ ଲିଭିଯିବା ପୁର୍ବର ଏଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।