ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ବର୍ଷା ସାଙ୍ଗକୁ ଶୀତ ଲୋକଙ୍କୁ ଭୟଭୀତ କରୁଛି । ତେବେ ଗତକାଲିଠାରୁ ବର୍ଷା ଛାଡ଼ିଥିବାବେଳେ ପୁଣି ବର୍ଷା ହେବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ ୮ ଓ ୯ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେ କହିଛନ୍ତି, ୮ ଓ ୯ ତାରିଖରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ାରେ ବର୍ଷା ହେବ। ସେହିପରି ୯ ତାରିଖରେ ମଧ୍ୟ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ବର୍ଷା ଛାଡ଼ିଯିବା ପରେ ୧୦ ତାରିଖଠାରୁ ପୁଣି ପାରଦ ଖସିବ ଓ ଶୀତ ଅନୁଭୂତ ହେବ।

