ଜଙ୍ଗଲ ଭିତରେ ପ୍ରାୟ ୫୦ ମିଟର ଖଣ୍ଡେ ବ୍ଲୋୟର ମେସିନ ସଫା କରି କରି ପହଞ୍ଚିବା ବେଳକୁ ଯାହା ଦେଖିଲେ ସେଥିରେ ମିରି ଅଭିଭୂତ ହୋଇଗଲେ । ବାଟଗାଁ ହାୟାର ସେକେଣ୍ଡାରୀ ସ୍କୁଲର ଯୁକ୍ତ ଦୁଇ ଶ୍ରେଣୀର ୧୫ ଜଣ ଛାତ୍ର ହାତରେ ସବୁଜ ଡାଳ ଧରି ଗଛ ମୂଳରୁ ଶୁଖିଲା ପତ୍ର ସଫା କରିବା ସହିତ, ନିଆଁ ଲାଗିଥିବା ବୁଦା ଗୁଡିକୁ ବାଡେଇ ବାଡେଇ ଚାଲିଛନ୍ତି । ସେମାନଙ୍କ ନେତୃତ୍ୱ ନେଉଥିଲେ ତାଙ୍କରି ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ । ପ୍ରାୟ 30 % ନିଆଁ ସେଇ ଯୁକ୍ତ ଦୁଇ ଛାତ୍ର ମାନେ ହିଁ ଲିଭେଇ ସାରିଥିଲେ । ଯାହାଫଳରେ ଜଙ୍ଗଲରେ ନିଆଁ ଆଉ ବ୍ୟାପୀ ପାରି ନ ଥିଲା। ବନ ବିଭାଗକୁ ବାକି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ସହଜ ହୋଇଥିଲା ।
ପ୍ରାୟ ୨୦ ହେକ୍ଟରର ଶାଳ, ଶାଗୁଆନ ଆଦି ମୂଲ୍ୟବାନ ଗଛ ଥିବା ଗ୍ରାମ୍ୟ ଜଙ୍ଗଲରେ ଭାଲୁ, ଠେକୁଆ, ମୟୂର, ଅନେକ ପ୍ରଜାତିର ସାପ ବସବାସ କରିଥାନ୍ତି । ଯଦି ସାରା ଜଙ୍ଗଲ କୁ ନିଆଁ ମାଡ଼ି ଯାଇଥାନ୍ତା, ତେବେ ଅନେକ କ୍ଷୟ କ୍ଷତି ହେବା ନିଶ୍ଚିତ ଥିଲା। ହେଲେ, ୧୫ ଜଣ ଉତ୍ସର୍ଗୀକୃତ ଛାତ୍ର ଏବଂ ତାଙ୍କ ଅଧ୍ୟାପକଙ୍କ ଠିକ୍ ସମୟର ଠିକ୍ ଭୂମିକା ନିର୍ବାହ ଯୋଗୁଁ, ନିଆଁ ଧାସ ରେ ଉଜୁଡ଼ିବାକୁ ଯାଉଥିବା ବାଟ ଗାଁ ଗ୍ରାମ୍ୟ ଜଙ୍ଗଲ ଆଜି ରକ୍ଷା ପାଇଗଲା । ବନ ବିଭାଗ ଏଇ ଭଳି ଜନ ସହଯୋଗ କାମନା କରିଥାଏ, ଏବଂ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଲୋକ ମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ଫରେଷ୍ଟ ଗାର୍ଡ ଚିତ୍ତ ରଂଜନ ମିରି କହିଛନ୍ତି ।
ରାଜନୀତି ବିଜ୍ଞାନ ଅଧ୍ୟାପକ କହିଛନ୍ତି "ନିଆଁ ଲିଭାଇବା କାମ କେବଳ ବନ ବିଭାଗର ନୁହେଁ । ଆମେ ଯଦି ଅପେକ୍ଷା କରି ରହି ଥାଆନ୍ତୁ ତାହେଲେ ନିଆଁ ଅଧିକ ବ୍ୟାପୀ ଯାଇଥାନ୍ତା । ସଚେତନ ନାଗରିକ ହିସାବରେ ଏଇଟା ଆମର କର୍ତ୍ତବ୍ୟ ଏବଂ ମୁଁ ସେଇଟା ମୋର ଛାତ୍ର ମାନଙ୍କୁ ଶିକ୍ଷା ଦେଇଛି ମାତ୍ର" ।