ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ବିଷମକଟକ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ସାହାଡା ପଞ୍ଚାୟତ ମେରଡି ଝୋଲା ଗାଁ ନିକଟର ଚେକଡ୍ୟାମ୍ର ଏ ଦୃଶ୍ୟ । ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏ ଡ୍ୟାମ୍ । ଉପରକୁ ଏହା ଚକାଚକ୍ ହେଲେ ଭିତରେ ଫମ୍ପା । ଫଳରେ କାମ ସରିବାର ୩ ମାସ ଗଲା ନାହିଁ । ୪୦ରୁ ୫୦ ଏକର ଚାଷ ଜମିକୁ ପାଣି ମଡ଼ାଇବା ଲକ୍ଷ୍ୟରେ ଏ ଡ୍ୟାମ ନିର୍ମାଣ ହୋଇଥିଲା । ହେଲେ ସବୁ କିଛି ଭାଙ୍ଗି ଚୁରମାର୍ ହୋଇଯାଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ, କଂକ୍ରିଟ ବଦଳରେ ବଡ଼ ବଡ଼ ପଥର ଓ ଡଷ୍ଟ ଗୁଣ୍ଡ ଜେଇଙ୍କ ଉପସ୍ଥିତିରେ ଠିକାଦାର ବ୍ୟବହାର କରିଛନ୍ତି । ଫଳରେ ଚେକଡ୍ୟାମ୍ର ଏ ଅବସ୍ଥା ।
ଚେକଡ୍ୟାମ୍ ଭାଙ୍ଗିବା ଘଟଣାକୁ ନେଇ ସୂଚନା ଅଧିକାରରେ ମଧ୍ୟ ଖୁଲାସା ହୋଇଛି । ସୂଚନା ଅଧିକାର ତଥ୍ୟରେ ସ୍ପଷ୍ଟ ହୋଇଛି ଯେ- ଫାଇନାଲ ବିଲ୍ ନ ହେବା ପୂର୍ବରୁ ଠିକାଦାର ଟେଣ୍ଡର ସମୟରେ ଦେଇଥିବା ୧୫ ପ୍ରତିଶତ ଲେସ୍ ଆମାଉଣ୍ଟ ମଧ୍ୟ ତାଙ୍କୁ ବିଭାଗ ପକ୍ଷରୁ ଦିଆଯାଇଛି । ଚେକଡ୍ୟାମର ଛାତରୁ ସେଣ୍ଟ୍ରିନ୍ ଖସିନି କି, ମୁଖ୍ୟଗେଟ୍ରେ କବାଟ ମଧ୍ୟ ଲାଗିନି । କିନ୍ତୁ ଠିକାଦାରଙ୍କୁ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍ ସହ ଟେଣ୍ଡର ସମୟରେ ଦେଇଥିବା ପନ୍ଦର ପର୍ସେଣ୍ଟ ଲେସ୍ ଆମାଉଣ୍ଟ । ଯେଉଁ ଟଙ୍କା ଫାଇନାଲ ବିଲ୍ ପରେ ଦିଆଯିବା ନିୟମ ରହିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଠିକାଦାରଙ୍କୁ ଦଶହରା ଭେଟି ଦେଉଛନ୍ତି ବିଭାଗୀୟ ଅଧିକାରୀ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ।
ଆହୁରି ପଢନ୍ତୁ ଓଡିଶା ଖବର...