ଅଧା ଡଜନ ମନ୍ତ୍ରୀଙ୍କ ନାଁରେ ରହିଛି କେଳେଙ୍କାରୀ ଭଳି ସଙ୍ଗୀନ ଅଭିଯୋଗ । ଡଜନ ଡଜନ ବିଧାୟକ ମାନଙ୍କ ନାଁରେ ମହିଳା ମାନେ ଅଭିଯୋଗ କରିଛନ୍ତି । ବିଜେଡର ମହିଳା ନେତ୍ରୀ ମାନେ ଦଳୀୟ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏ ସରକାର ପଦଚ୍ୟୁତ ହେଲେ ମମିତା ମେହେର, ପରୀଙ୍କ ଭଳି ପୀଡିତାଙ୍କୁ ସଠିକ୍ ନ୍ୟାୟ ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ମହିଳା ବିରୋଧୀ ଅପରଧକୁ ନେଇ ରାଜ୍ୟ ସାରା ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା । ଏ ନେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ନିଷ୍ପତି ହୋଇଛି । ସେହିପରି ବିଜେଡି ଏସଏଚଜି ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ରାଜ୍ୟ ସାରା ବିଜେପି କରିବ ସ୍କୁଟି ରାଲି । ଏହି ସ୍କୁଟି ରାଲି ସାହାଯ୍ୟରେ ପ୍ରତି ମହିଳାଙ୍କୁ ଛୁଇଁବାକୁ ଯୋଜନା । ପ୍ରତି ମଣ୍ଡଳ ସ୍ତରରେ ସ୍କୁଟି ରାଲି ଆୟୋଜିତ ହେବ ।
ଏସଏଚଜି ମାନେ ପାଉଥିବା ଟଙ୍କା କେନ୍ଦ୍ର ସରକାର ଦେଉଛନ୍ତି ବୋଲି ମହିଳାଙ୍କୁ ଅବଗତ କରିବ ବିଜେପି ମହିଳା ମୋର୍ଚ୍ଚା । ସେହିପରି ନାରୀ ସଶକ୍ତିକରଣ ପାଇଁ ମୋଦି ସରକାର ନେଇଥିବା ଏକାଧିକ ଐତିହାସିକ ନିଷ୍ପତ୍ତି ଓ ଯୋଜନାକୁ ମଧ୍ୟ ମହିଳାଙ୍କ ପାଖରେ ପହଞ୍ଚାଇବ ମହିଳା ମୋର୍ଚ୍ଚା । ଏ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜନୀତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି । ମହିଳାଙ୍କୁ ସ୍ଵାବଲମ୍ବୀ ଏବଂ ଆତ୍ମ ନିର୍ଭର କରିବା ପାଇଁ ମୋଦି ଆହ୍ଵାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା, ମୁଦ୍ରା ଋଣ ବ୍ୟବସ୍ଥା, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ଵଚ୍ଛ ଭାରତ ଯୋଜନା ଅନ୍ତର୍ଗତ ଓଡିଶାରେ ୭୭ ଲକ୍ଷ ଘରେ ଶୌଚାଳୟ, ସ୍ଵଜଳ ଧାରା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ଘରେ ନଳ ଯୋଗେ ଜଳ, ଓଡିଶାର ୩ କୋଟି ୨୫ ଲକ୍ଷ ନାଗରିକଙ୍କୁ ମାଗଣାରେ ରାସନ ଯୋଗାଉଛନ୍ତି ମୋଦି ସରକାର । ବିକଶିତ ଭାରତ ଗଠନ, ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନେଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବ ମହିଳା ମୋର୍ଚ୍ଚା ।