ରାଜ୍ୟକୁ ବିଭିନ୍ନ ଚିଟଫଣ୍ଡ କମ୍ପାନୀକୁ ଡାକି ଫିତା କାଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସୁଧ ହାରରେ ବିଭିନ୍ନ କମ୍ପାନୀରେ ଟଙ୍କା ଲଗାଇଥିଲେ ଲୋକେ । ହେଲେ କିଛିଦିନ ପରେ କମ୍ପାନୀ ତ ଗଲା...ଲୋକଙ୍କୁ ବି ଚୂନା ଲଗାଇଦେଲା । ଆଉ ଝାଳବୁହା ଧନକୁ ହରାଇ ଯେତେ କାନ୍ଦିଲେ କି ଛଟପଟ ହେଲେ ଲାଭ କିଛି ହେଲା ନାହିଁ । ବାରମ୍ବାର ଦାବି କରାଗଲା ଫେରସ୍ତ ହେଉ ଚିଟଫଣ୍ଡ ଟଙ୍କା । କିନ୍ତୁ ନିର୍ବାଚନ ପୂର୍ବରୁ ଟଙ୍କା ଫେରାଇବା ପାଇଁ କମିଶନ ବସାଇଲେ, ହେଲେ ଆଜିଯାଏଁ ଟଙ୍କା ଫେରିଲା ନାହିଁ । ଯାହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ ।
ସବୁଠୁ ବଡ଼ କଥା ହେଲା ୨୪ ନିର୍ବାଚନରେ ବିଜେପି ହିଁ ସରକାର କରିବ । ଏହାସହ ଯେଉଁଦିନ ସରକାର କରିବ ସେହି ଦିନ ହିଁ ଲୋକଙ୍କ ଟଙ୍କା ଫେରାଇବାକୁ ଅର୍ଡିନାନ୍ସ ଅଣାଯିବ ବୋଲି ପ୍ରଦୀପ କହିଛନ୍ତି । ତେବେ ଗତକାଲି ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପ ସ୍ଥାବର ଓ ଅସ୍ଥାବର ସଂପତ୍ତି ବ୍ୟାଜାପ୍ତି ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ । କର୍ପସ୍ ଫଣ୍ଡ ଆଉ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେଇ ଦୁଇ ଦୁଇଟି ନିର୍ବାଚନ ବୈତରଣୀ ପାର ହେଲାଣି ବିଜେଡି । ହେଲେ ଏବେ ବି ଶତ ପ୍ରତିଶତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଛନ୍ତି ସରକାର । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ। ଆଉ ଏତିକି ବେଳେ ଟଙ୍କା ଫେରାଇବାର ପ୍ରତିଶ୍ରୁତି ବିଜେପି ଦେଇଥିବାରୁ ଶଙ୍ଖ ଶିବିରରେ ଏବେଠୁ ପଶିଲାଣି ଛନକା ।