
କେନ୍ଦୁଝର: କେବେ ଥମିବ ଲଜ୍ଜା ? କେବେ ପରିବର୍ତ୍ତନ ହେବ ଲୋକଙ୍କ ମାନସିକତା ? କଣ ସମାଜରୁ ଦୁଷ୍କର୍ମ ଭଳି ବ୍ୟାଧି ଲୋପ ପାଇବ ? ଏଭଳି ଅନେକ ପ୍ରଶ୍ନ ଏବେ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସାରା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ଦୁଷ୍କର୍ମ ଘଟଣା ଥମିବାରେ ନାଁ ଧରୁନି । ପ୍ରତିଦିନ ଏଭଳି ଲଜ୍ଜାର ଖବର ଆସୁଛି । ସେହିଭଳି ପୁଣି ଏକ ଗଣଦୁଷ୍କର୍ମର ଖବର ଆସିଛି କେନ୍ଦୁଝର ଜିଲ୍ଲାରୁ ।
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କାରଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ ଗତ ୧୧ତାରିଖ ଦିନ ମହିଳା ଜଣଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମଦ ନିଶାରେ ଚୁର ହୋଇ ଦୁଇ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ ।
ଏନେଇ ମହିଳା ଜଣଙ୍କ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତ ସିଂଗରାଇ ମୁଣ୍ଡା ଓ ଶୈଳେନ୍ଦ୍ର ମୁଣ୍ଡାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।
