ଘର
ଓଡ଼ିଶା
ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍
ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍
by Swayangprajna Mishra
NEWS HIGHLIGHTS
- ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍
- ଦେଶର ସବୁଠୁ ଅଗ୍ରଣୀ ସହର ହେବ ସମ୍ବଲପୁର
- ଦୂର ହେବ ପିଇବା ପାଣି ସମସ୍ୟା
- ରାସ୍ତା, ଡ୍ରେନେଜ୍, ସ୍ବରେଜ୍କୁ କରାଯିବ ସୁବ୍ୟବସ୍ଥିତ
- ସ୍ବାସ୍ଥ୍ୟସେବା ମଜବୁତ୍ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ
- ସମ୍ବଲପୁର ଓ ହୀରାକୁଦ ରେଳଷ୍ଟେସନର ହେବ ଉନ୍ନତିକରଣ
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଫୋକସରେ ସମ୍ବଲପୁର ସହର। ସମ୍ବଲପୁରକୁ ଅତ୍ୟାଧୁନିକ ସହର ଭାବେ ଗଢି ତୋଳିବା ପାଇଁ ଲକ୍ଷ୍ୟ । ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ୱାଟର ପ୍ଲାଣ୍ଟ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାରମ୍ଭିକ DPR କାମ `ୱାଟକୋ ଓଡ଼ିଶା' କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହ ଆଲୋଚନା ସରିଛି । ଏହା ବ୍ୟତୀତ ସହରରେ ଡ୍ରେନେଜ, ସ୍ବେରେଜ, ରାସ୍ତା ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍ ଓ ସ୍ବଚ୍ଛତା ସମସ୍ୟାର ସମାଧାନ ପାଇଁ ନୂଆ ପରିକଳ୍ପନା କରାଯାଇଛି । ସମ୍ବଲପୁରରେ ଏକ ରିଙ୍ଗ ରୋଡ୍ କରାଯିବାର ଯୋଜନା ହୋଇଛି । ଏଥିସହ ସମ୍ବଲପୁର ଓ ହୀରାକୁଦ ରେଳଷ୍ଟେସନ ସହ ସମ୍ବଲପୁର ସିଟି ଷ୍ଟେସନର ଉନ୍ନତିକରଣ ପାଇଁ କାମ ଆରମ୍ଭ ହୋଇଛି । ସମ୍ବଲପୁରକୁ ଦେଶର ସବୁଠୁ ଭଲ ସହର କରାଯିବା ନେଇ କ୍ଷେତରାଜପୁର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ସମ୍ବଲପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ମଜବୁତ୍ କରିବା ପାଇଁ ବିଜେପି ସରକାର ପ୍ରତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଭବନ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଡ଼ିଆବାହାଲଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର "ଆୟୁଷ୍ମାନ ଆରୋଗ୍ୟ ମନ୍ଦିର"କୁ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗରିବ ଓ ବଞ୍ଚିତ ଲୋକଙ୍କ ସ୍ବାସ୍ଥ୍ୟସେବା କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ବ ନେଇଛନ୍ତି । ଗ୍ରାମାଞ୍ଚଳରେ ଆଶା ଦିଦିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଉପସ୍ଥିତ ଥିଲେ ।
ସମ୍ବଲପୁରରେ ଆୟୋଜିତ ବିଜେପି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ରବି ନାଏକଙ୍କ ଉପସ୍ଥିତିରେ ରେଢାଖୋଲ ନିର୍ଵାଚନ ମଣ୍ଡଳୀର ଗୋଟେ ଡର୍ଜନ ସରପଞ୍ଚ ବିଜେପିରେ ସାମିଲ ହୋଇଥିଲେ । ଜନସେବାକୁ ପ୍ରାଥମିକତାରେ ରଖି କାମ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ପରେ ମଣ୍ଡଳିଆଠାରେ ଛଟ୍ ପୁଜାରେ ଶ୍ରଦ୍ଧାଳୁଙ୍କ ସହ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳେ ସପତ୍ମୀଙ୍କ ସହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଦର୍ଶନ ସହ ମାଙ୍କ ଦୀପଘରକୁ ନେଇ ଚନ୍ତା ପ୍ରକଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।