କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଜି ପ୍ରଥମେ ଦେବଗଡର ବିଜେପି କାର୍ଯ୍ୟାଳୟରୁ ତିଳେଇବଣି ନିକିତିମାଳ ସିଦ୍ଧେଶ୍ୱର ମନ୍ଦିରକୁ ଶତାଧିକ ଜନସାଧାରଣ ଓ ସମର୍ଥକଙ୍କ ସହ ବାଇକ ରାଲିରେ ଯାଇଥିଲେ । ପରେ ନିକିତିମାଳ ସ୍ଥିତ ଶ୍ରୀ ସିଦ୍ଧେଶ୍ୱର ମଦାଦେବ ମନ୍ଦିରରେ ଦର୍ଶନ କରିଥିଲେ । ସେଠାରୁ ଦେବଗଡ଼ ଜିଲ୍ଲା ତିଳେଇବଣିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ପ୍ରତି ଦେବଗଡ଼ର ମାତୃଶକ୍ତି ଓ ଯୁବଶକ୍ତିଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଦେବଗଡରେ ପରିବର୍ତ୍ତନ ହୋଇଛି । ମୋଦି ସରକାରରେ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି ।
ଏହାର ବିସ୍ତୁତ ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ଼ର ୨.୬୩ ଲକ୍ଷ ହିତାଧିକାରୀଙ୍କୁ ୫୬୮ କୋଟି ଟଙ୍କା ମୂଲ୍ୟର ଚାଉଳ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହର ପାଇଁ ମୋଟ ୨୨୩ କୋଟି ଟଙ୍କାର ପ୍ରାୟ ୧୭ ହଜାର ଘର ପ୍ରଦାନ କରାଯାଇଛି । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ୯୧ କୋଟି ଟଙ୍କା ବ୍ୟୟରେ ୩୫ ହଜାର ୧୬୫ଟି ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ୨୦ ହଜାର ୫୨୯ ଜଣ ହିତାଧିକାରୀଙ୍କୁ ୩.୨୮ କୋଟି ଟଙ୍କା ମୂଲ୍ୟର ରନ୍ଧନ ଗ୍ୟାସ ଦିଆଯାଇଛି । ମନରେଗା ଯୋଜନାରେ ୧.୨୮ କୋଟି ଦିବସ ସୃଷ୍ଟି ସହ କାମ ୩୫୪.୮୮ କୋଟି ଟଙ୍କା ଦିଆଯାଇଛି । ମୁଦ୍ରା ଋଣରେ ୧ ଲକ୍ଷ ୩୯ ହଜାର ୮୬୯ ଜଣଙ୍କୁ ଋଣ ବାବଦକୁ ୫୫୪ କୋଟି ଟଙ୍କା ଦିଆଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ଜନଜାତି ସମାଜର ଯୁବକଙ୍କୁ ଉଦ୍ୟମୀ କରିବା ପାଇଁ ୨.୫୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ସ୍ୱନିଧି ଯୋଜନାରେ ୨.୩୨ କୋଟି ଟଙ୍କାର ସହାୟତା ଦିଆଯାଇଛି । ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୩୪ କୋଟି ଟଙ୍କାର ଋଣ ବ୍ୟବସ୍ଥା ହୋଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ବାବଦକୁ ୧୬,୭୦୦ ଜଣ ହିତାଧିକାରୀଙ୍କୁ ୧୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୪ ଲକ୍ଷ ୧୯ ହଜାର ଏଲଇଡି ବଲ୍ବ ବିତରଣ ବାବଦକୁ ୫.୨ କୋଟି ଟଙ୍କା ଦିଆଯାଇଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ମୋଦୀ ଟଙ୍କା ପଠାଉଛନ୍ତି, କିନ୍ତୁ ଦେବଗଡ଼ରେ ପହଂଚିଲା ବେଳକୁ ଏହା କମିଯାଉଛି । ମୋଦୀ ଯାହା ଦେଉଛନ୍ତି ତାହା ଠିକ୍ ଠିକ୍ ଏଠାରେ ପହଂଚିବା ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ଶ୍ରୀ ପ୍ରଧାନ ଏହା ମଧ୍ୟ କହିଥିଲେ, ମୋଦି ସରକାର ଚାଷୀଙ୍କ ପାଇଁ ଧାନର କୁଇଂଟାଲ ପିଛା ୨୧୮୩ ଟଙ୍କା ପଠାଉଛନ୍ତି । କିନ୍ତୁ ରାଜ୍ୟ ସରକାର କଟନି ଛଟନି କରୁଥିବାରୁ ଚାଷୀ ଧାନର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ । ମଣ୍ଡିରେ ହଇରାଣ ହେଉଛି । ଓଡ଼ିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ଦେବଗଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦିଆଯିବ । କ୍ୱିଣ୍ଟାଲ ପିଛା ଧାନର ଏମଏସପି ୩୧୦୦ ଟଙ୍କା ବୃଦ୍ଧି କରାଯିବ । ସ୍ୱଚ୍ଛ ପାନୀୟ ଜଳ ନେଇ ଥିବା ସମସ୍ୟା ଦୂର ହେବ । ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଅଣାଯିବ । ଏକ ବିକାଶଶୀଳ ଗରିବ ସପକ୍ଷବାଦୀ ସରକାର ବନାଇବାକୁ ହେଲେ ମୋଦୀଙ୍କ ହାତମୁଠାକୁ ଟାଣ କରିବା ଦରକାର ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ ।
ଶୋଭାଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଥିଲେ । ସେ କହିଥିଲେ ‘ମୋଦୀ ଗ୍ୟାରେଣ୍ଟି’ ଗରିବରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିକଶିତ ଓଡ଼ିଶା ଗଢିବା ପାଇଁ ବିଜେପି ସଂକଳ୍ପବଦ୍ଧ।
ଅଧିକ ପଢ଼ନ୍ତୁ ରାଜନୀତି ଖବର