ପାଣ୍ଡିଆନ୍ ଙ୍କ ସାମିଲ ହେବା ପରେ ନବୀନ ନିବାସରୁ ବାହାରି ଧାଡି କରି ଜଣେ ପରେ ଜଣେ ନେତା ରଖିଥିଲେ ନିଜ ପ୍ରତିକ୍ରିୟା । ନବୀନ ନିବାସରେ ବିଜେଡିରେ ସାମିଲ ହେବା ପରେ ଶଙ୍ଖ ଭବନରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସ୍ବାଗତ ଜଣାଇବା ସହ ଶଙ୍ଖ ଭବନ ଭିତରକୁ ପାଛୋଟି ନେଇଥିଲେ ନେତା ଓ କର୍ମୀ । ଦଳ ପକ୍ଷରୁ ଚାଲିଥିବା ରକ୍ତଦାନ ଶିବିରରେ ସାମିଲ ହେବା ସହ ଶଙ୍ଖ ଭବନରେ ପ୍ରସ୍ତୁତ ହୋଇଥିବା ତାଙ୍କ ଚ୍ୟାମ୍ବରରେ ଜଣେ ପରେ ଜଣେ ନେତାଙ୍କୁ ଭେଟିଥିଲେ କାର୍ତ୍ତିକ ।
ପରେ ପରେ ରାଜଧାନୀରୁ ବାହାରି ସିଧାସଳଖ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାରେ । ସେଠାରେ ମା ତାରା ତାରେଣୀଙ୍କୁ ଦର୍ଶନ କରିଥିଲେ । ଏପରିକି ଦଳୀୟ କର୍ମୀଙ୍କୁ ଭେଟିବା ସହ ଫଟୋ ବି ଉଠାଇଥିଲେ ।
ପାଣ୍ଡିଆନ୍ ଙ୍କ ରାଜନୈତିକ ମଇଦାନରେ ଏଣ୍ଟ୍ରି ପରେ ସରଗରମ ରାଜ୍ୟ ରାଜନୀତି । ଇସ୍ତଫା ଦେବା ପୂର୍ବରୁ 30 ଜିଲ୍ଲା ବୁଲିଥିଲେ ପାଣ୍ଡିଆନ । ସରକାରୀ ଖର୍ଚ୍ଚରେ ବାବୁଙ୍କ ଜିଲ୍ଲାବୁଲାକୁ ନେଇ ସୃଷ୍ଟିହୋଇଥିଲା ବିବାଦ । ଅଭିଯୋଗ ଶୁଣାଣିବାବଦ ଖର୍ଚ୍ଚ ଓ ହେଲିକପଟରରେ ଜିଲ୍ଲାବୁଲା ଖର୍ଚ୍ଚର ତୁଳନାତ୍ଖକ ଚିତ୍ର ଦେଇ ବରିଷ୍ଠ ସାମ୍ବାଦିକ କରିଥିଲେ କଟାକ୍ଷ ଆଉ ବିରୋଧୀ ସାଧିଥିଲେ ସିଧା ନିଶାନା ।
ବିଜେଡିରେ ସାମିଲ ହେବା ପରେ ପାଣ୍ଡିଆନ୍ ସିଧାସଳଖ ଗଞ୍ଜାମ ଯିବା ଅନେକ କିଛି ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ଗଞ୍ଜାମର ଯେ କୌଣସି ଏକ ଆସନରୁ ନିର୍ବାଚନ ଲଢି ପାରନ୍ତି ଭି.କେ ପାଣ୍ଡିଆନ୍ ।