ଭୂତଳ କୋଇଲାଖଣିରେ ବାଲି ଭର୍ତ୍ତି କରାଯାଇନଥିବା ଯୋଗୁଁ ଭୂତଳ ଅତ୍ୟଧିକ ଫମ୍ପା ହୋଇ ଯାଇଛି l ଏବେ ସେଠାରେ ପାଣି ବାହାରୁଛି। ଏତେ ପରିମାଣରେ ପାଣି ବାହାରୁଥିବାରୁ ମାଟି ଅତଡା ଖସିବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି । ବନ୍ଦ ହୋଇ ଯାଇଥିବା ଭୁତଳ କୋଇଲା ଖଣିରେ ପର୍ଯ୍ୟାପ୍ତ ପରିମାଣର ବାଲି ଭର୍ତ୍ତି କରିବାକୁ ନିର୍ଦେଶ ରହିଛି । ତେବେ ଖଣି ପକ୍ଷରୁ ଏହାକୁ ପାଳନ କରା ଯାଉ ନାହିଁ । ଅଳ୍ପ ଅଳ୍ପ ବାଲି ଭର୍ତ୍ତି କରି ଖଣି କର୍ତ୍ତୃପକ୍ଷ କାମ ତୁଲାଇ ଦେଉଛନ୍ତି । ଯାହା ଫଳରେ ଏଭଳି ସମସ୍ୟା ଦେଖା ଦେଇଥିବା ବେଳେ ଅନେକ ସମୟରେ ତାଳଚେର ଅଞ୍ଚଳରେ ମାଟି ଦବୁଛି । ମାଟି ଦବି ପୂର୍ବରୁ ବହୁ ଘରଦ୍ୱାର ମଧ୍ୟ ନଷ୍ଟ ହୋଇଛି ।
ଏହାକୁ ନେଇ ଅନେକ ଥର ଅଭିଯୋଗ ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ଚେତୁ ନାହାନ୍ତି ଖଣି ଅଧିକାରୀ । ଏମସିଏଲକୁ ଏ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ହେଉଛି । ଅପରପକ୍ଷେ ବିଜେପିର ଏକ ପ୍ରତିନିଧି ଦଳ ଏମସିଏଲର ତାଳଚେର ଏରିଆ ପ୍ରକଳ୍ପ ଅଧିକାରୀ ଦାଶରଥି ସାହୁଙ୍କ ସହ ଘଟଣାସ୍ଥଳରେ ଆଲୋଚନା କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଦାବୀ ଉପସ୍ଥାପନ କରିଛନ୍ତି l ତେବେ ତାଳଚେର ଏରିଆ ପ୍ରକଳ୍ପ ଅଧିକାରୀ ଦାଶରଥି ସାହୁଙ୍କ କହିବା ଅନୁଯାୟୀ ପମ୍ପ ଖରାପ ହୋଇ ଯାଇଥିବାରୁ ଚମ୍ପାପଶି ଭୂତଳ ଖଣିରୁ ଜଳ ନିଷ୍କାସନ ହୋଇପାରିନି ଏବଂ ପର୍ଯ୍ୟାପ୍ତ ପରିମାଣର ବାଲି ମିଳୁ ନଥିବା ଯୋଗୁଁ ବାଲି ଭର୍ତ୍ତି ହୋଇ ପାରୁନାହିଁ l ତେବେ ଏଭଳି ଘଟଣା ପାଇଁ ଆତଙ୍କିତ ନ ହେବାକୁ ସେ କହିବା ସହ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି l