ରାଜ୍ୟରେ ଗରିବଙ୍କ ସଂଖ୍ୟା କେତେ ?
by Manini Pattanayak
ଭୁବନେଶ୍ୱର: ବିଧାନସଭାକୁ ଭ୍ରମିତ କରିବାକୁ କିଏ କରୁଛି ଚେଷ୍ଟା ? ମନ୍ତ୍ରୀ ଭୁଲ କହିଲେ ନା ମୁଖ୍ୟମନ୍ତ୍ରୀ ? କାହା କଥାକୁ ସତ ବୋଲି ଧରାଯିବ । ରାଜ୍ୟର ମୁଖ୍ୟମନ୍ତ୍ରୀ ନା ବିଭାଗ ପରିଚାଳନା କରୁଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ତାଙ୍କର ଉତ୍ତର । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ 2000 ମସିହାରେ ମୁଁ ସରକାରକୁ ଆସିଲା ବେଳେ ରାଜ୍ୟରେ 70 ଭାଗ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିଲେ । କିନ୍ତୁ ଏବେ 10 ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି । ଯାହାକୁ କି ବଡ଼ ସଫଳତା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ କୁ ୨୪ ଘଣ୍ଟା ପୁରି ନଥିବା ବେଳେ ଏହାକୁ ଭୁଲ ବୋଲି ଦର୍ଶାଇଛନ୍ତି ଖୋଦ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ୨୦୧୧ରେ ଦାରିଦ୍ର୍ୟ ହାର ୩୩.୬ ପ୍ରତିଶତ ଥିଲା । ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଦାରିଦ୍ର୍ୟ ହାର ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି ।
ସେପଟେ ବିଧାନସଭା ଭିତରେ ଏଭଳି ଭମାତ୍ମକ ତଥ୍ୟକୁ ନେଇ ଶାସକ ଦଳ ଓ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ୨୪ ଘଣ୍ଟାରେ କେମିତି ତଥ୍ୟ ବଦଳି ଯାଉଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କ କଥା ରେ କେମିତି ରହୁନି ତାଳମେଳ । ରାଜ୍ୟ ସରକାର ଗରିବିକୁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ସରକାର ତାହା ଠିକ ନୁହେଁ ଏହା ଠୁ ଅଧିକ ଗରିବୀ ରହିଛି ରାଜ୍ୟରେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ପ୍ରଶ୍ନ କରିଛନ୍ତି ଓଡ଼ିଶାରେ ଗରିବୀ କିଏ ? ଦାରିଦ୍ର୍ୟ ମାନେ କଣ ? କେମିତି ନିର୍ଧାରଣ କରାଯାଉଛି ଗରିବର ମାପଦଣ୍ଡ`। ପ୍ରଶ୍ନ ଗରିବିକୁ ନେଇ ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କ ଏଭଳି ଭ୍ରମାତ୍ମକ ତଥ୍ୟ ଗୃହର ଗାରିମା ନଷ୍ଟ କରୁ ନାହିଁ କି ?
ଅଧିକ ପଢନ୍ତୁ ଓଡ଼ିଶା ଖବର