ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ଵ ଖର୍ଚ୍ଚ କରି ୩୧୪ ବ୍ଲକକୁ ବୁଲି ଆସିଲେ । କହିଲେ, ଆମେ ଅଭିଯୋଗ ସଂଗ୍ରହ କରୁଛୁ । ପ୍ରଶ୍ନ, ୨୫ ବର୍ଷର ସ୍ଥିର ସରକାର, ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା...ଏହା ପରେ ବି ବିକାଶର ବାଟ ମୋଡ଼ିଥିଲା କିଏ ? ନା କେବଳ ପ୍ରହସନ ପାଇଁ ବ୍ଲକଠୁ ବ୍ଲକ ବୁଲିବୁଲି ନିଜକୁ ନେତା କରିବାକୁ ଚକ୍ରାନ୍ତ କରୁଥିଲେ । ଏବେ ଏମିତି ପ୍ରଶ୍ନ ପ୍ରତିଟି ଓଡ଼ିଆଙ୍କ ମନରେ ଉଙ୍କି ମାରୁଛି ।
ବିଜେଡିରେ ଏବେ କଣ କେହି ନେତା ନାହାନ୍ତି କି ? ଯଦି ଅଛନ୍ତି ତାହାଲେ ସେମାନେ ଏବେ କେଉଁଠି ? ଚାକିରି କରିଥିବା ବେଳେ ତ ଦଳୀୟ କଥାରେ ମୁଣ୍ଡ ପୂରାଉଥିଲେ ସେଥିରେ କୌଣସି ସନ୍ଦେହ ନଥିଲା, ହେଲେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ଦଳକୁ ପୂରା କବଜା କରି ରଖିଛନ୍ତି । ଖାଲି କବଜା କରିଛନ୍ତି ତାହା ନୁହେଁ ବରଂ ଶାସନ ବ୍ୟବସ୍ଥାକୁ ହାଇଜାକ କରିବାକୁ ଚେଷ୍ଟା ବି କରିଛନ୍ତି । ପ୍ରତି ମୁହୂର୍ତ୍ତରେ ଓଡ଼ିଆଙ୍କୁ ଅସମ୍ମାନିତ କରିବାକୁ ଚେଷ୍ଟା ବି କରିଛନ୍ତି । ଏ ସବୁ ଦେଖିବା ପରେ ପ୍ରାଂଜଳ ଭାବରେ ଆପଣ ବି ବୁଝିପାରିବେ ସବୁ କ୍ରେଡିଟ ନେବାକୁ ସେ କେତେ ଆଗଭର । ପୂର୍ବରୁ ବି ବବି ଓ ପ୍ରତାପ ଦେବଙ୍କ ପରି ଦଳର ଆଗଧାଡ଼ିର ନେତାଙ୍କୁ ଟ୍ରାଫିକ ଜଗିବା ଓ ତମ୍ବୁ ଟାଣିବା କାମରେ ଲଗାଇଥିଲେ । ଏବେ ନିର୍ବାଚନ ଫଳାଫଳ ବାହାରିବା ପରେ ଦଳର ସବୁ ନେତାଙ୍କୁ କନେଷ୍ଟବଳ ପରି ବ୍ୟବହାର କରିବାକୁ ବୋଧହୁଏ ସ୍ଵପ୍ନ ଦେଖୁଛନ୍ତି ପାଣ୍ଡିଆନ । ତେବେ ସମୟ କହିବ କେଉଁ ପାଣି କୁଆଡ଼େ ଯାଉଛି ।