ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ବିରୋଧରେ ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ? ଭି.କେ. ପାଣ୍ଡିଆନ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ହୋଇନାହାନ୍ତି । କୌଣସି ସାମ୍ବିଧାନିକ ପଦ ପଦବୀ ନାହାନ୍ତି ପାଣ୍ଡିଆନ ।
ଏପରିକି ବିଜେଡ଼ି ଦଳରେ ମଧ୍ୟ କିଛି ପଦବୀରେ ନାହାନ୍ତି । ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ପାଣ୍ଡିଆନ । ତେଣୁ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବ କେମିତି ପାଣ୍ଡିଆନଙ୍କ Z କାଟେଗୋରୀ ସିକ୍ୟୁରିଟି ଦେଇଛନ୍ତି ବୋଲି ପ୍ରଶ୍ନ କଲା ବିଜେପି । ଏଠି ମୁଖ୍ୟ ଶାସନ ସଚିବ କଣ କରୁଛନ୍ତି, ଅଛନ୍ତି ନା ନାହିଁ ରାଜ୍ୟରେ ଜଣାପଡୁନାହିଁ । ତେବେ କେବଳ ସୁରକ୍ଷା ନୁହେଁ, ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ପ୍ରଶାସନ ହେଲିପ୍ୟାଡ ମଧ୍ୟ ତିଆରି କରୁଛି । ଏହାଦ୍ବାରା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଦଳ ।
ସେପଟେ ପିସିସି ସଭାପତି ତଥା ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କୁ Y ସ୍କେଲ ସିକ୍ୟୁରିଟି ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ତାଙ୍କୁ Y ସ୍କେଲ୍ ସିକ୍ୟୁରିଟି ମିଳିଛି ବୋଲି ଶରତ ପଟ୍ଟନାୟକ ଜାଣିନଥିବା କହିଛନ୍ତି । ତାଙ୍କୁ ସରକାରଙ୍କ ପକ୍ଷରୁ କେବଳ ଜଣେ ପିଏସଓ ସୁରକ୍ଷା ପାଇଁ ଦିଆଯାଇଛି ।
ପୂର୍ବରୁ ପାଣ୍ଡିଆନଙ୍କୁ Z ପ୍ଲସ ସିକ୍ୟୁରିଟି ଠାରୁ ଅଧିକ ଅର୍ଥାତ 74 ଜଣ ପୋଲିସ ସୁରକ୍ଷା କର୍ମୀ ଦିଆଯାଉଥିବା ନେଇ ଆରଟିଆଇ ତଥ୍ୟରୁ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ରାଜ୍ୟ ସାରା ତୁମ୍ଭି ତୋଫାନ ହେବା ସହ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଥିଲେ । ଆଉ ଏବେ ପୁଣି Z ସୁରକ୍ଷା କାହିଁକି ବୋଲି ଉଠିଛି । ଓଡ଼ିଶାରେ କାହା ଠାରୁ ପାଣ୍ଡିଆନଙ୍କୁ ରହିଛି ଏତେ ଭୟ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର