ଅର୍ଗସ ବ୍ୟୁରୋ : ଦାରିଙ୍ଗବାଡି ଆମ୍ବ ଟାକୁଆ ପ୍ରସଙ୍ଗରେ RDC ତଦନ୍ତ ଚାଲିଥିବାବେଳେ ଜୁଡିସିଆଲ୍ କମିଶନ ତଦନ୍ତ ଦାବି କରିଛି ବିଜେଡି । ଯାହାକୁ ନେଇ ପୂର୍ବ ସରକାରର ଜୁଡିସିଆଲ୍ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସିଧାସଳଖ ବିଜେଡିକୁ ନିଶାନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଯେଉଁମାନେ ବିଚାର ବିଭାଗୀୟ ତଦନ୍ତ ଦାବି କରୁଛନ୍ତି। ସେମାନେ ନିଜ ବିବେକକୁ ପଚାରନ୍ତୁ ତାଙ୍କ କାର୍ଯ୍ୟକାଳ ବେଳେ 24ଟି ବିଚାର ବିଭାଗୀୟ ତଦନ୍ତ ହେଲା । ସେ ରିପୋର୍ଟ ସବୁ କୁଆଡେ ଗଲା ? । ଜୁଡିସିଆଲ୍ ହେଉ ଆରଡିସି ହେଉ କି ବିଚାର ବିଭାଗୀୟ ତଦନ୍ତ ହେଉ । ଲକ୍ଷ୍ୟ ହେବା କଥା- ସତ୍ୟର ଉନ୍ମୋଚନ କରିବା ପାଇଁ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜୁଡ଼ିସିଆଲ କମିଶନ ବସାଇ କୌଣସି ରିପୋର୍ଟ ସାର୍ବଜନୀନ ନକରିବା ପୂର୍ଵ ସରକାରଙ୍କ ରାସ୍ତା ଓ ଲକ୍ଷ୍ୟ ଉଭୟ ଥିଲା ଅପବିତ୍ର । ହେଲେ ବିଜେପି ସରକାରର ଲକ୍ଷ୍ୟ ବି ପବିତ୍ର ରାସ୍ତା ବି ପବିତ୍ର କହି ବିରୋଧୀଙ୍କୁ ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।
କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଦ୍ବାରା ପ୍ରସ୍ତୁତ ଯାଉ ଖାଇ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ବ୍ରହ୍ମପୁର MKCG ଓ ଦୁଇ ଜଣ କଟକ SCBରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଘଟଣାର RDC ତଦନ୍ତ ଚାଲିଛି । ଦକ୍ଷିଣାଞ୍ଚଳ RDC ରୂପାରୋଶନ ସାହୁ ଘଟଣାର ତଦନ୍ତ କରୁଛନ୍ତି । ଘଟଣାରେ ପ୍ରତିକ୍ରିୟା ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଘଟଣା ଚିନ୍ତାଜନକ । ଜିଲ୍ଲା ରିପୋର୍ଟ ଆସିଛି । ଆରଡ଼ିସି ତଦନ୍ତ କରୁଛନ୍ତି । ସତ ପଦାକୁ ଆସିବ । ଘଟଣା ପଛରେ ଯାହା ବି କାରଣ ଆସିବ ତାର ନିରାକରଣ ହେବ ପ୍ରାଥମିକତା ।
ତେବେ ଦାରିଙ୍ଗବାଡି ଅଞ୍ଚଳରେ ଆମ୍ବ ଟାକୁଆର କୋଇଲିକୁ ପୂର୍ବ କାଳରୁ ଖାଇ ଆସୁଛନ୍ତି ସେଠକାର ବାସିନ୍ଦା । ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି ସିଜେଇ ଭାତ ସହିତ ଖାଉଛନ୍ତି । ବର୍ଷ ବର୍ଷ ଧରି ଘରେ ରଖୁଥିବା ଟାକୁଆଟି ଶୁଖିଗଲା ପରେ ସେଥିରୁ କୋଇଲି ବାହାର କରି ତାକୁ ରାନ୍ଧି କରି ଖାଉଥିବା କଥା ସ୍ବୀକାର କରିଛନ୍ତି, SCBରେ ଚିକିତ୍ସାଧୀନଙ୍କ ଭାଇ ।
ଅଧିକ ପଢନ୍ତୁ : ଆମ୍ବ ଟାକୁଆ ମୃତ୍ୟୁ ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
୨୦୦୧ରେ ରାୟଗଡାର କାଶୀପୁର ଅଂଚଳରେ ଆମ୍ବ ଟାକୁଆ ଖାଇ ୨୪ ଜଣ ମୃତ୍ୟୁବରଣ କରିଥିଲେ । ଏହାର ୧୫ ବର୍ଷ ପରେ 2016 ରେ ସେହି ଅଂଚଳରେ ଜଣେ ଶିଶୁର ମୃତ୍ୟୁ ଆମ୍ବ ଟାକୁଆ ଖାଇ ହୋଇଥିବା ଜଣାପଡିଥିଲା । ତେବେ ସରକାରୀ ସୁବିଧା ପାଇ ବି ପିଢ଼ି ପିଢ଼ି ଧରି ଖାଉଥିବା ଟାକୁଆ ମୋହ ଯୋଗୁଁ ଆଦିବାସୀଙ୍କ ଜୀବନ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ।