୬ଟି ମହାନଗର ନିଗମର ମୋଟ ୫୭୬ ଆସନ ମଧ୍ୟରୁ୨୩ ତାରିଖ ସନ୍ଧ୍ୟା ସୁଦ୍ଧା ୫୩୩ ଟି ଆସନର ଫଳାଫଳ ଜଣା ପଡ଼ି ଯାଇଥିଲା। ଫଳାଫଳ ଘୋଷିତ ଆସନ ମଧ୍ୟରୁ ବିଜେପି ୪୪୪ ଟି ଆସନ ପାଇ ସବୁଠୁଁ ଆଗରେ ରହିଛି । ତେଣୁ ସମସ୍ତ ୬ଟି ମହାନଗର ନିଗମ ବିଜେପି ହାତକୁ ଯିବ ବୋଲି ଫଳାଫଳରୁ ଜଣାପଡ଼ିଛି । କଂଗ୍ରେସ, ଆପ୍, ବିଏସ୍ପି ଏବଂ ଅନ୍ୟ ପ୍ରତଦ୍ୱନ୍ଦୀ ଦଳଗୁଡ଼ିକ ବହୁତ ପଛରେ ଥିବାବେଳେ ବିଜେପିକୁ ସବୁଠୁ ଅଧିକ ସଫଳତା ରାଜକୋଟରେ ମିଳିଛି। ସେଠାରେ ବିଜେପିକୁ ୭୨ରୁ ୬୮ ଟି ମିଳିଛି । ଅନ୍ୟପକ୍ଷରେ ସୁରଟରେ କଂଗ୍ରେସ ଆଦୌ ଖାତା ଖୋଲି ପାରିନଥିବା ଜଣାପଡ଼ିଛି।
୨୩ ତାରିଖ ସନ୍ଧ୍ୟା ସୁଦ୍ଧା ଘୋଷିତ ହୋଇଥିବା ଫଳାଫଳ ଅନୁସାରେ ଅହମ୍ମଦାବାଦ ମହାନଗର ନିଗମର ୧୯୨ ଟି ଆସନ ମଧ୍ୟରୁ ବିଜେପିକୁ ୧୩୧ଟି ଆସନ ମିଳିଛି। ସୁରଟରେ ୧୨୦ ଟି ଆସନରୁ ୯୩, ବଦୋଦରାରେ ୭୬ ରୁ ୬୧, ରାଜକୋଟରେ ୭୨ରୁ ୬୮, ଭାବନଗରରେ ୫୨ରୁ ୪୪ ଏବଂ ଜାମନଗରରେ ୬୪ ରୁ ବିଜେପିକୁ ୫୦ ଟି ଆସନ ମିଳିଥିବାର ସୁଚନା ମିଳିଛି । ବିଜେପି ସପକ୍ଷରେ ଯାଇଥିବା ଏହି ଫଳାଫଳ କେନ୍ଦ୍ରରେ ଥିବା ମୋଦି ସରକାର ଏବଂ ରାଜ୍ୟରେ ବିଜୟ ରୂପାନୀ ସରକାରଙ୍କ ସୁଶାସନର ପ୍ରଭାବ ବୋଲି କୁହାଯାଇଛି ।