ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ୍ (ସିଏଏ) ସାରା ଦେଶରେ ଲାଗୁ ହୋଇଛି । ଏ ସମ୍ପର୍କରେ ସରକାର ମଧ୍ୟ ନୋଟିଫିକେସନ୍ ଜାରି କରିଛନ୍ତି । ତେବେ ଏହା ପୂର୍ବରୁ ଦେଶରେ କିଛି ସ୍ଥାନରେ ନାଗରିକତା ସଂଶୋଧ କୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି ।
ତେବେ ନାଗରିକତା ସଂଶୋଧନ ଆଇନ ଦେଶ ହିତରେ ଏକ ବଡ଼ ପଦକ୍ଷେପ ବୋଲି ସରକାର ଦର୍ଶାଇବା ସହ ଏହା ଲାଗୁ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଥିଲେ। ଗତକାଲି ଏ ବାବଦ ବିଜ୍ଞପ୍ତି ଜାରି ହେବା ସହିତ ୧୦ ଜାନୁଆରି ୨୦୨୦ରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଛି।
ନାଗରିକତା ଅଧିନିୟମ, ୧୯୫୫ରେ ପରିବର୍ତ୍ତନ ଆଣି କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ୍ ସଂସଦରେ ଉପସ୍ଥାପନ କରିଥିଲେ। ଏହି ବିଲ୍ ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ମଂଜୁରି ସହିତ ଆଇନରେ ପରିଣତ ହୋଇଥିଲା। ଏବେ ସରକାର ବିଜ୍ଞପ୍ତି ଜାରି କରି ଏହି ଆଇନକୁ ସମଗ୍ର ଦେଶରେ ଲାଗୁ କରିଛନ୍ତି। ଏହା ଫଳରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସୁଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍, ଖ୍ରିଷ୍ଟୀୟାନ ଏବଂ ପାର୍ସୀ ଶରଣାର୍ଥୀ ଭାରତର ନାଗରିକତା ସହଜରେ ପାଇପାରିବେ। ଏ ପର୍ଯ୍ୟନ୍ତ ସେମାନଙ୍କୁ ବେଆଇନ ଶରଣାର୍ଥୀ ଭାବେ ଗ୍ରହଣ କରାଯାଉଥିଲା।
୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ସଂପ୍ରଦାୟର ଶରଣାର୍ଥୀଙ୍କୁ ଏବେ ଭାରତର ନାଗରିକତା ମିଳିବାରେ କୌଣସି ବିଶେଷ ପ୍ରତିବନ୍ଧକ ରହିବନାହିଁ। ତେବେ ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ଅଂଚଳରେ ବିଶେଷ କାରଣ ଯୋଗୁଁ ଏହି ଆଇନ ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏଥିପାଇଁ କେତେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସିଏଏ ଦ୍ବାରା କୌଣସି ଜଣେ ବି ଭାରତୀୟଙ୍କର ନାଗରିକତା ପ୍ରଭାବିତ ହେବନାହିଁ ଏବଂ ଏ ନେଇ ସମସ୍ତେ ଆଶ୍ବସ୍ତ ରହିବା ଉଚିତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
