ଅର୍ଗସ ବ୍ୟୁରୋ:ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ୍ ।ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ମ୍ୟାଚରେ ହିରୋ ସାଜିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର,ମ୍ୟାଚର ୧୩ ଏବଂ ୧୯ ମିନିଟରେ ଦୁଇଟି ଦମଦାର ଗୋଲ କରି ଭାରତକୁ ବିଜୟ ଭେଟିଦେଇଥିଲେ । ତେବେ ଭାରତ ବିପକ୍ଷରେ ପାକିସ୍ତାନର ଅହମଦ ନଦୀମ ଏକମାତ୍ର ଗୋଲ କରିବାରେ ସଫଳ ହୋଇଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଭାରତ ସେମି ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚାଇନା, ପରେ ଜାପାନ, ତୃତୀୟ ମ୍ୟାଚ୍ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ଚିତ କରିଥିଲା। ଆଜି ଦଳ ପାକିସ୍ତାନକୁ ମାତ ଦେଇଛି
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ ମିଳିଛି ମୋଦି କ୍ୟାବିନେଟର ମଞ୍ଜୁରୀ। ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମୋଟ 79,156 କୋଟିର ବ୍ୟୟବରାଦ କରାଯାଇଛି। ଆଦିବାସୀ ବହୁଳ ଗାଁ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟ ଓ ପରିବାରଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯିବ। ଗତ ବଜେଟରେ ଘୋଷଣା ଅନୁସାରେ ଦେଶର 63,000 ଗାଁର 5 କୋଟିରୁ ଅଧିକ ଆଦିବାସୀ ଏହି ଯୋଜନାରୁ ଲାଭବାନ ହେବେ। ଦେଶର ମୋଟ 549ଟି ଜିଲ୍ଲାର 2,740ଟି ବ୍ଲକରେ ଥିବା ଆଦିବାସୀ ବହୁଳ ଗାଁରେ ଯୋଜନା କାର୍ଯ୍ୟକାରୀ କରାଯିବ।
2011 ଜନଗଣନା ଅନୁସାରେ ଦେଶରେ ମୋଟ 705ଟି ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ଏବଂ ଆଦିବାସୀଙ୍କ ମୋଟ ଜନସଂଖ୍ୟା 10 କୋଟି 45 ଲକ୍ଷ, ଯେଉଁମାନେ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ରହନ୍ତି। ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ଭାରତ ସରକାରଙ୍କ 17ଟି ମନ୍ତ୍ରାଳୟ କାମ କରିବେ। ଆଗାମୀ 5 ବର୍ଷ ପାଇଁ ମୁଖ୍ୟତଃ 4ଟି ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।
ଅଧିକ ପଢନ୍ତୁ : ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
1 . ଭିତ୍ତିଭୂମି ନିର୍ମାଣ – ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ଜଳଜୀବନ ମିଶନ ଅଧୀନରେ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ସହ ଆୟୁଷ୍ମାନ ଭାରତ କାର୍ଡ ଯୋଗାଇ ଦିଆଯିବ। ଆଦିବାସୀ ବହୁଳ ଗାଁ ଗୁଡ଼ିକୁ ସବୁଦିନିଆ ରାସ୍ତା ସହ ମୋବାଇଲ୍ ଓ ଇଣ୍ଟରନେଟ୍ ସଂଯୋଗର ବ୍ୟବସ୍ଥା ରହିବ। ଜାତୀୟ ସ୍ବାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ଓ ପୋଷଣ ଯୋଜନାରେ ସ୍ବାସ୍ଥ୍ୟ, ଶିକ୍ଷା ଭିତ୍ତିଭୂମିର ବିକାଶ କରାଯିବ।
2. ଆର୍ଥିକ ସଶକ୍ତୀକରଣ – ଦଶମ ଓ ଦ୍ବାଦଶ ପାସ୍ କରୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଦିଆଯିବ ଦକ୍ଷତା ବିକାଶ ତାଲିମ। ବହୁମୁଖୀ ଆଦିବାସୀ ବଜାର କେନ୍ଦ୍ର ମାଧ୍ୟମରେ ଆଦିବାସୀଙ୍କ ଉତ୍ପାଦର ମାର୍କେଟିଂ ପାଇଁ ସହାୟତା, ଆଦିବାସୀ ବହୁଳ ଅଞ୍ଚଳରେ ପର୍ଯ୍ୟଟନ, କୃଷି, ପଶୁ ଓ ମତ୍ସ୍ୟପାଳନ ଦିଗରେ ସହାୟତା ଦିଆଯିବ।
3 . ଶିକ୍ଷା – ଆଦିବାସୀ ପିଲାଙ୍କୁ ସ୍କୁଲ ଓ କଲେଜ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ସହ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜନଜାତି ହଷ୍ଟେଲ୍ ପ୍ରତିଷ୍ଠା କରାଯିବ।
4. ସ୍ବାସ୍ଥ୍ୟ – ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଅପହଞ୍ଚ ଅଞ୍ଚଳ ଗୁଡ଼ିକ ପାଇଁ ମୋବାଇଲ୍ ହେଲ୍ଥ ୟୁନିଟର ବ୍ୟବସ୍ଥା କରାଯିବ।
ନୀତି ଆୟୋଗ ଦ୍ବାରା ଚିହ୍ନଟ ତଥା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ଥିବା ରାଜ୍ୟର 10 ଜିଲ୍ଲାରେ ଏହି ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ।
ନୂଆଦିଲ୍ଲୀ : ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ମିଳିଛି ମୋଦି କ୍ୟାବିନେଟର ମଞ୍ଜୁରୀ। ସଂସଦର ଆଗାମୀ ଶୀତ ଅଧିବେଶନରେ ଏ ନେଇ ବିଲ୍ ଆସିବ। ଏକକ ନିର୍ବାଚନ ପ୍ରସ୍ତାବକୁ ଦେଶର 32ଟି ରାଜନୈତିକ ଦଳ ସମର୍ଥନ କରିଥିବାବେଳେ 15ଟି ଦଳ ବିରୋଧ କରିଛନ୍ତି। ଆଉ 15ଟି ଦଳ କୌଣସି ଉତ୍ତର ରଖିନାହାନ୍ତି। ଖୁବଶୀଘ୍ର ଦେଶରେ ବଦଳିବାକୁ ଯାଉଛି ନିର୍ବାଚନର ବୁନିଆଦି ଢାଞ୍ଚା । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ଆଇନରେ ପରିଣତ କରିବାକୁ ଆଗକୁ ବଢ଼ିଲେ ମୋଦି ସରକାର । ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତ ଅଧିବେଶନରେ ଏକକ ନିର୍ବାଚନ ନେଇ ବିଲ୍ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ପୂର୍ବରୁ ୱାନ ନେସନ ୱାନ ଇଲେକସନ ପ୍ରସ୍ତାବ ଉପରେ ରାମନାଥ କୋବିନ୍ଦ କମିଟି ପକ୍ଷରୁ ନିଆଯାଇଥିଲା 62ଟି ରାଜନୈତିକ ଦଳର ମତାମତ । ପ୍ରସ୍ତାବକୁ 32ଟି ରାଜନୈତିକ ଦଳ ସମର୍ଥନ କରିଥିବା, 15ଟି ଦଳ ବିରୋଧ କରିଥିଲେ । ଏବଂ 15ଟି ରାଜନୈତିକ ଦଳ ପ୍ରସ୍ତାବକୁ ନେଇ କୌଣସି ଉତ୍ତର ରଖିନାହାନ୍ତି ।
ଚଳିତବର୍ଷ ମାର୍ଚ୍ଚ 14ରେ ରାଷ୍ଟ୍ରପତିଙ୍କୁ 18ହଜାର ପୃଷ୍ଠାର ରିପୋର୍ଟ ହସ୍ତାନ୍ତର କରିଥିଲା ଏକକ ନିର୍ବାଚନ କମିଟି । ମୋଦି 1.0 ସମୟରୁ ଦେଶରେ ଏକକ ନିର୍ବାଚନକୁ ନେଇ ମନ୍ଥନ ଆରମ୍ଭ କରିଥିଲେ ସରକାର । ଯାହା ଏବେ ଚୁଡ଼ାନ୍ତ ରୂପ ନେବାକୁ ଯାଉଛି । ଏହାଫଳରେ ନିର୍ବାଚନ କମିସନ ଉପରେ ଚାପ କମିବା ସହ ଆର୍ଥିକ ବ୍ୟୟ ବି କମିବ । ପ୍ରସ୍ତାବକୁ ଦେଶବାସୀ ସ୍ବାଗତ କରୁଥିବାବେଳେ ଭାରତ ପରି ବିଶାଳ ଦେଶରେ ଏପରି ଆଇନ ଅବାସ୍ତବ ବୋଲି କହିଛି କଂଗ୍ରେସ । ପୂର୍ବରୁ 1999ରେ ଲ' କମିଶନ 170ତମ ରିପୋର୍ଟରେ ପ୍ରତି 5 ବର୍ଷ ଅନ୍ତରରେ ଦେଶରେ ଏକକ ନିର୍ବାଚନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । 2015ରେ ସଂସଦୀୟ କମିଟି 79ତମ ରିପୋର୍ଟରେ ବି ଦେଶରେ ଦୁଇଟି ପର୍ଯ୍ୟାୟରେ ସବୁ ନିର୍ବାଚନ କରିବାକୁ ପ୍ରସ୍ତାବ ରଖିଥିଲା । ଏକକ ନିର୍ବାଚନକୁ ନେଇ ମୋଦି ସରକାର ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ ଉଚ୍ଚସ୍ତରୀୟ କମିଟି । 2020 ସମ୍ବିଧାନ ଦିବସ ସମ୍ବୋଧନରେ ପିଏମ ମୋଦି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରଣ କରିବାକୁ ଆହ୍ବାନ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର