ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ସବୁ ଅଂଚଳର ଲୋକଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ସବୁଠି ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଆସିଥିବା ଜାଣି ହିତାଧିକାରୀ ବି ଖୁସ୍ । ଯେହେତୁ ପୂର୍ବରୁ ଆକାଉଣ୍ଟକୁ ୧ ଟଙ୍କା ଆସିଥିଲା, ତେଣୁ ଗତକାଲି ଆକାଉଣ୍ଟକୁ ୪୯୯୯ ଟଙ୍କା ପହଞ୍ଚିଛି । ତ ପୁଣି କାହା ଖାତାକୁ ଆସିଛି ପୁରା ୫ ହଜାର ଟଙ୍କା । ସୁଭଦ୍ରା କିସ୍ତି ଟଙ୍କା ପାଇଥିବା ମୋବାଇଲରେ ମେସେଜ୍ ଦେଖି ଆନନ୍ଦିତ ହିତାଧିକାରୀ । ସମସ୍ତଙ୍କ ମନରେ ଗୋଟିଏ କଥା ସ୍ଵାବଲମ୍ବୀ କରାଇବ ସୁଭଦ୍ର ଟଙ୍କା ।
ସୂଚନା ଅନୁସାରେ ଗତକାଲି ମୋଦି ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରା ପ୍ରଥମ କିସ୍ତିର ଟଙ୍କା । ଯେଉଁଥିରେ ଖର୍ଚ୍ଚ ହୋଇଛି ୧୨୫୦ କୋଟି ୫୫ ହଜାର ଟଙ୍କା । ଏ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି- ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ। ସେମିତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଏଯାବତ୍ ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି।୫୧ ଲକ୍ଷ ହିତାଧିକାରୀଙ୍କ ଆବେଦନ ପେଣ୍ଡିଂ ରହିଛି। ଆଗକୁ ଆହୁରି ୫୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି । ସୁଭଦ୍ରା ସ୍କିମ୍ ରେ ଆଗାମୀ ୫ ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋହନ ସରକାର ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟର ବିକାଶ ତଥା ମହିଳାଙ୍କର କେମିତି ବିକାଶ ହେବ ସେନେଇ ସବୁବେଳେ ବିଜେପି ସରକାର ଗୁରୁତ୍ଵ ଦିଏ । ତେଣୁ ଏବେ ସୁଭଦ୍ରା ଯୋଜନା ମାଧ୍ୟମରେ ଗାଁଠୁ ସହର ସବୁ ମହିଳାଙ୍କୁ ସ୍ଵାବଲମ୍ବୀ କରାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି ।