ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବେ ବିଶ୍ଵନେତା ଭେଟିବାକୁ ଚାହୁଁଛନ୍ତି । ଯେଉଁ ଦେଶ ଗସ୍ତ କରୁଛନ୍ତି ସ୍ଥାନୀୟ ନେତା ମୋଦିଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରୁଛନ୍ତି । ଯେହେତୁ ଆମେରିକାରେ ଏବେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ତେଣୁ ମୋଦି-ଟ୍ରମ୍ପ ସାକ୍ଷାତକାରକୁ ନେଇ ବିଶ୍ଵସ୍ତରରେ ଚର୍ଚ୍ଚା ଚାଲିଛି । ଏକ ଅଭିଯାନ କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଘୋଷଣା କରିଥିବାବେଳେ ଭାରତ ସହ ଆମେରିକାର ବାଣିଜ୍ୟ ବିଷୟରେ ବହୁ ଆଲୋଚନା କରିଥିଲେ । ହେଲେ ଏବେ ଦୁଇ ନେତା କେଉଁଠାରେ ଭେଟିବେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ କିନ୍ତୁ ଆଲୋଚନାର ସମୟ ନିର୍ଦ୍ଧାରିତ ହୋଇସାରିଛି ।
ସୂଚନା ଅନୁସାରେ, ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୧ରୁ ତିନି ଦିନିଆ ଆମେରିକା ଗସ୍ତରେ ଯିବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡେଲାୱେରରେ ଚତୁର୍ଥ 'କ୍ୱାଡ ଲିଡର୍ସ ସମ୍ମିଳନୀ' ଆୟୋଜନ କରୁଛନ୍ତି । ଏହି ବୈଠକରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ ଫୁମିଓ କିଶିଦା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଟ୍ ଉପରେ, ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ 'ଭବିଷ୍ୟତର ଏହି ସମ୍ମିଳନୀ'କୁ ମଧ୍ୟ ସମ୍ବୋଧିତ କରିବେ । ଏଥିସହ ସେପ୍ଟେମ୍ବର ୨୨ ତାରିଖରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ଭେଟିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ପ୍ରଥମ ପ୍ରେସିଡେଣ୍ଟସିଆଲ ଡିବେଟ୍ରେ ମୁହାଁମୁହିଁ ହୋଇଥିଲେ ଟ୍ରମ୍ପ ଓ ହାରିସ । ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉଠାଇ ଆଲୋଚନା ବି କରିଥିଲେ, ଦୋଷ ଲଦାଲଦି ବି ହୋଇଥିଲେ । କଥା ହେଲା ଯେହେତୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ମୁଣ୍ଡ ଉପରେ ରହିଛି । ତେଣୁ ମୋଦିଙ୍କ ଆମେରିକା ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି ।