ଅର୍ଗସ ବ୍ୟୁରୋ: ଚମକାଇଦେଲା ହରିୟାଣା ରେଜଲ୍ଟ । ଏକଜିଟ୍ ପୋଲ ହେଲାନି ଏକଜାଟ ପୋଲ । ମୋଦିଙ୍କ ଲୋକପ୍ରିୟତା ଓ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ରଣନୀତି ଆଗରେ ଚିତପଟାଙ୍ଗ ମାରିଲା କଂଗ୍ରେସ । ସବୁ କଳ୍ପନାଜଳ୍ପନାର ଅନ୍ତ ହେଲା । ବିଜେପି ମାରିଲା ବାଜି । ଲଗାତାର ତୃତୀୟଥର ଲାଗି କ୍ଷମତା ଦଖଲ କଲା ବିଜେପି । ଆଉ ନିର୍ବାଚନକୁ ଠିକ୍ରେ ପରିଚାଳନା କରିଥିବାରୁ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କୁ ସବୁ ଆଡ଼େ କରାଯାଉଛି ପ୍ରଶଂସା ।
ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ସାବ୍ୟସ୍ତ କଲା ମୋଦି ମ୍ୟାଜିକ୍ । ଗତ କିଛିଦିନ ଧରି ଜାତୀୟ ଗଣମାଧ୍ୟମରେ କରାଯାଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କଲେ ହରିୟାଣା ଜନତା । କାରଣ ଲଗାତାର ତୃତୀୟ ଥର ବମ୍ପର ବିଜୟ ସହ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କଲା ଭାରତୀୟ ଜନତା ପାର୍ଟି । ଜାଟ୍-ନନ୍ ଜାଟ୍ ଫର୍ମୁଲା ଆପଣାଇ ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା କାମ କଲା । କେବଳ କାମ କଲା କହିଲେ ଅତ୍ୟୁକ୍ତି ହେବ ନାହିଁ ବରଂ କମାଲ କରିଦେଲା ।
ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରରେ ଯେଉଁ ଦାୟିତ୍ଵ ପାଆନ୍ତି ତାହାକୁ ସୂଚାରୁରୂପେ ତୁଲାଇ ଥାଆନ୍ତି । କାରଣ ଲୋକସଭା ନିର୍ବାଚନରେ ଓଡ଼ିଶାରେ ତାଙ୍କରି ନେତୃତ୍ଵରେ ବିଜେପି ଲଢିଥିଲା । ଆଉ ତାହାର ଫଳାଫଳ କଣ ହେଲା ତାହା ପୁରା ଦେଶ ଦେଖିଲା । ରଣନୀତି ଏମିତି ଥିଲା ଯେ ୨୪ ବର୍ଷର ସରକାରକୁ ଭାଙ୍ଗିବାରେ ପୁରା କାମ ଦେଲା । ଓଡ଼ିଶା ନିର୍ବାଚନ ପରେ ପରେ ହରିୟାଣା ନିର୍ବାଚନରେ କେମିତି ବିଜେପି ବିଜୟ ହେବ ସେନେଇ ଧର୍ମେନ୍ଦ୍ରଙ୍କ କାନ୍ଧରେ କେନ୍ଦ୍ର ନେତୃତ୍ଵ ଦେଇଥିଲେ ଗୁରୁ ଦାୟିତ୍ଵ । ଯାହାକୁ ସଫଳତାର ସହ ତୁଲାଇଥିଲେ ଶ୍ରୀପ୍ରଧାନ ।
କଥା ହେଲା, ହରିୟାଣାରେ ବିଜେପିର ଏ ବିଜୟର ଗୁରୁତ୍ବ ଏଥିପାଇଁ ସବୁଠୁ ଅଧିକ କାରଣ ୨୦୧୪ରେ ମୋଦି ଲହର ବେଳେ ଯେତେବେଳେ ହରିୟାଣାରେ ୪୭ ସିଟ୍ ଜିତିଥିଲା ବିଜେପି ଏଥର ସେ ରେକର୍ଡ ବି ଭାଙ୍ଗିଛି । ପୁଣି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ ପ୍ରାୟ ବିଜେପି ଅଧା ସିଟ୍ ହାରିବା ପରେ ବି ବିଧାନସଭାରେ କରିଛି ଚମତ୍କାର ପ୍ରଦର୍ଶନ । ମୋଦି ସରକାରକୁ ବଦନାମ କରିବାକୁ ବିରୋଧୀ କରିଥିଲେ ଜୋରଦାର ପ୍ରୟାସ । କୃଷକ, ଅଗ୍ନିବୀର ପ୍ରସଙ୍ଗ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କୁ ଢାଲ କରି ରାହୁଲ ଗାନ୍ଧି ଯେଉଁ ଦଙ୍ଗଲ ରଚନା କରିଥିଲା ତାକୁ ମଧ୍ୟ ଚିତ୍ କରିଦେଇଛନ୍ତି ହରିୟାଣାବାସୀ ।
ହରିୟାଣାରେ ଏବେ ବିଜୟ ଉତ୍ସବ ମନାଉଛନ୍ତି ବିଜେପି କର୍ମୀ। ତୃତୀୟ ପାଳିର ସରକାର ଗଠନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଏଥିସହ ଆଉ ମାସ କେଇଟା ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ହରିୟାଣା ବଡ଼ ବାର୍ତ୍ତା ଦେଇଛି । ଖାଲି ଏତିକି ନୁହେଁ ଓଡ଼ିଆ ପୁଅ କାନ୍ଧରେ ଗୁରୁ ଦାୟିତ୍ଵ ଦେଇଥିବାରୁ ମୋଦିଙ୍କୁ ପୁଣି ଥରେ ପ୍ରତିଟି ଓଡ଼ିଆ କରୁଛନ୍ତି ପ୍ରଶଂସା ।