ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକାରେ ବଢୁଛି ଜଳସ୍ତର। ବନ୍ୟାରେ ବେହାଲ୍ ହୋଇପଡିଛି ବାଲେଶ୍ବର ଜିଲ୍ଲା । ୩ଟି ବ୍ଲକ୍ ବାଲିଆପାଳ, ଜଳେଶ୍ବର, ଭୋଗରାଇର ୩୫ଟି ପଞ୍ଚାୟତ ବେଶି ପ୍ରଭାବିତ ହୋଇଛି । ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ରହିଛି । ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ପରେ ସ୍ଥିତି ଉଦବେଗଜନକ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ଉଦ୍ଧାର କାର୍ଯ୍ୟରେ ମୁତୟନ ଅଛନ୍ତି ୮ ଅଗ୍ନିଶମ, ୩ ଓଡ୍ରାଫ୍, ୧ NDRF ଟିମ୍ ।.. ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡ୍ମ୍ୟାପ୍ କରିବାକୁ EICଙ୍କୁ କୁହାଯାଇଛି । ପୂର୍ଣ୍ଣିମା ଯୋଗୁଁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ଆଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟାସ୍ଥିତି ଅନୁଧ୍ୟାନବେଳେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ସହର ସମେତ ଗାଁ ସବୁଠି ଜଳ ପ୍ରଳୟ ସ୍ଥିତି । ବନ୍ୟାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଅନେକ ଗାଁ । ପାଣି ଘେରରେ ଫସି ରହିଛନ୍ତି ଶତାଧିକ ପରିବାର । ରାସ୍ତା, ବ୍ରିଜ୍ ସବୁଠି ବର୍ଷା ପାଣି ଚାଲୁଛି । ଫଳରେ ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖାଲି ସେତିକି ନୁହେଁ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଲୋକଙ୍କ ଘରେ ଓ ଦୋକାନରେ ପାଣି ପଶିଛି ।
ସୁବର୍ଣ୍ଣରେଖା ନଦୀ କେବଳ ବାଲେଶ୍ବର ନୁହେଁ ମୟୂରଭଞ୍ଜ ଜିଲ୍ଲା ପାଇଁ ବି ଦୁଃଖ ଆଣିଦେଇଛି । ନଦୀ ପାଖ ଗାଁରେ ବନ୍ୟା ଜଳ ପଶି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷାରେ ଅନେକଙ୍କ ଘର ଭାଙ୍ଗି ଯାଇଛି । ଶୀର୍ଷା ନେଦା ଗାଁରେ ସୁବର୍ଣ୍ଣରେଖା ବନ୍ୟାଜଳ ପ୍ରବେଶ କରିଛି । ୩୦ ପରିବାରଙ୍କୁ ଉଦ୍ଧାର କରି ବଣଗାଁ ସରକାରୀ ବିଦ୍ୟାଳୟରେ ରଖାଯାଇଛି । ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ପାଇଁ 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି 20 ତାରିଖ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ 15 ଜିଲ୍ଲାକୁ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର