ଧର୍ମଶାଳା ତହସିଲ ଅଧୀନ ଥାନୁଆଳ, ହରିଦାସପୁର, ଆରୁହା, ପାଖର ପଞ୍ଚାୟତର ଯୋଗରଡ଼ା ଓ ନାନପୁର ମୌଜାର ଏକର ଏକର ସରକାରୀ ଜମି ଏବେ ରାମକୋ ଜବରଦଖଲରେ । ନାକପୋଲ ରାଜସ୍ଵ ସର୍କଲ ଅଧୀନ ଯୋଗରଡ଼ା ମୌଜାର ଖାତା ନମ୍ବର ୭୯ ଓ ପ୍ଲଟ୍ ନମ୍ବର ୧୦୬ର ୧.୩୬ଏକର ଜମି, ଖାତା ନମ୍ବର ୭୭ ଓ ପ୍ଲଟ୍ ନମ୍ବର ୧୪୩ର ୧.୫୪ଏକର ଓ ପ୍ଲଟ୍ ନମ୍ବର ୧୫୨ରେ ୨.୫୩ ଏକର ଜମି ଜବରଦଖଲରେ ରହିଛି । ଏ ନେଇ ସରକାରୀସ୍ତରରେ ଯଥାକ୍ରମେ ୩ଟି ଜବରଦଖଲ କେସ୍ ୧୪୨/୧୮-୧୯, ୧୪୩/୧୮-୧୯, ୧୪୪/୧୮-୧୯ ମଧ୍ୟ ରୁଜୁ ହୋଇଛି । କଥା ହେଲା ଜମିର ଉନ୍ନତୀକରଣ ନାଁରେ ବଡ଼ ଧରଣର ଠକେଇ କରି ଧର୍ମଶାଳାର ତତ୍କାଳୀନ ତହସିଲଦାର କୋଟି କୋଟି ଟଙ୍କାର ଭୂସମ୍ପତ୍ତିକୁ ରାମକୋ କମ୍ପାନୀ ହାତକୁ ଟେକି ଦେଇଛନ୍ତି ।
କେମିତି ଭଲରେ ଲୋକମାନେ ରହିବେ ସେହି କଥା ଚିନ୍ତାକରି ଗଡ଼ମଧୁପୁର ରାଜା ଭୂମିହୀନ ଲୋକଙ୍କୁ ୪ ଗୁଣ୍ଠ ଲେଖାଏଁ ଜମି ଦେଇଥିଲେ । ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧି ପଟ୍ଟା ଦେଇଥିଲେ । ହେଲେ ୨୦୨୦ରୁ ଲୋକଙ୍କ ଜମିକୁ ଜବରଦଖଲ କରିବା ପରେ ବି ପାଉଣା ଦେଇନି । ତେଣୁ ଘର ନଥିବା କାରଣରୁ ରାସ୍ତା କଡରେ ପଡିଛନ୍ତି ଶହଶହ ନିରାଶ୍ରୟ । କୁହାଯାଉଛି ସ୍ଥାନୀୟ ଅଂଚଳର କିଛି ରାଜନେତା ଓ ଠିକାଦାରଙ୍କ ମିଲିଭଗତରେ ଏମିତି ଦୁର୍ନୀତି ଚାଲିଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା କମ୍ପାନୀ ହେବା ପରେ ଅନେକ ସରକାରୀ ଜମି ମାଡି ବସିଥିବା ବେଳେ ଲୋକଙ୍କ ଜମିକୁ ବି କବଜା କରିନେଇଛି । ତେଣୁ ରାଜ୍ୟରେ ସରକାର ବଦଳିବା ପରେ ଏବେ ପୁଣି ଥରେ ନିଜ ଘର ଓ ଜାଗା ପାଇବା ଆଶାରେ ସ୍ଥାନୀୟ ବାସିନ୍ଦା ।