ଇସ୍ରାଏଲ ଉପରେ ଇରାନର ଆଟାକ୍ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । କାରଣ ମାତ୍ର କିଛି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ । ଅବଶ୍ୟ ଆକାଶ ମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସମର୍ଥ ହୋଇଥିଲା ଇସ୍ରାଏଲ । ହେଲେ ଆକ୍ରମଣର ବଦଲା ନେବା ପାଇଁ ଇସ୍ରାଏଲ ଯେଉଁପରି ଭାବରେ ପ୍ରତିଆକ୍ରମଣ କଲାଣି ତାହାକୁ ନେଇ ଚିନ୍ତାରେ ଇରାନ । ସେପଟେ, ଉତ୍ତର ଗାଜାକୁ ସମ୍ପୂର୍ଣ୍ଣ ସାମରିକ ଜୋନ୍ ଘୋଷଣା କରାଯିବା ପୂର୍ବରୁ ନାଗରିକଙ୍କୁ ଏଠାରେ ମାତ୍ର ସପ୍ତାହେ ସମୟ ମିଳିବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି । ଏହି ସମୟ ମଧ୍ୟରେ ଅଞ୍ଚଳ ଛାଡ଼ିଦେବାକୁ ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଯଦି କୌଣସି ନାଗରିକ ଅଞ୍ଚଳ ନଛାଡ଼ି ସେଠାରେ ରହନ୍ତି, ତେବେ ସେମାନଙ୍କ ପାଖରେ ଖାଦ୍ୟ, ପାଣି, ଔଷଧ ଏବଂ ଇନ୍ଧନ କିଛି ପହଞ୍ଚିପାରିବନି । ଏହାଦ୍ଵାରା ହମାସ୍ ଆତଙ୍କବାଦୀଙ୍କ ସହ ସେମାନଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିବ।
କେମିତି ହମାସକୁ ଦୁର୍ବଳ କରାଯିବ ସେନେଇ ବଡ଼ ପ୍ଲାନ କରିଛି ଇସ୍ରାଏଲ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲର ଅବସରପ୍ରାପ୍ତ ଜେନେରାଲ୍ମାନଙ୍କୁ ନେଇ ଏହି ରଣନୀତି କରାଯାଇଛି । ଯଦି ଏହି ରଣନୀତି କାର୍ଯ୍ୟକାରୀ ହେଲା ତାହାଲେ ହମାସ୍ ସଂପୂର୍ଣ୍ଣ ଦୁର୍ବଳ ହୋଇଯିବ । ଜେନେରାଲ ଗିଓରା ଇଲାଣ୍ଡ୍ ଯିଏ କି ଜାତୀୟ ସୁରକ୍ଷା ପରିଷଦର ପୂର୍ବତନ ମୁଖ୍ୟ ଥିଲେ ସେ ହିଁ ରଣନୀତି କରିଥିବା କୁହାଯାଉଛି । ଦୀର୍ଘବର୍ଷ ବ୍ୟାପୀ ଯୁଦ୍ଧର ପରିସମାପ୍ତି ଘଟାଇବାପାଇଁ ଏବଂ ହମାସ୍ ଆତଙ୍କବାଦୀଙ୍କ କବଳରେ ବନ୍ଦୀ ଥିବା ବାକି ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଏହା ହିଁ ଏକମାତ୍ର ବାଟ । ସେପଟେ ଜେନେରାଲଙ୍କ ପ୍ଲାନକୁ ନେଇ ଏବେ ଇସ୍ରାଏଲର ପିଏମ ସମୀକ୍ଷା କରୁଛନ୍ତି । ଯଦି ପ୍ଲାନରେ ଇସ୍ରାଏଲ ସରକାର ମୋହର ମାରନ୍ତି ତେବେ ହମାସର ଖେଳ ଖତମ ହେବ ବୋଲି କୁହାଯାଉଛି ।
ସେପଟେ ଇସ୍ରାଏଲର ଅଧିକାରୀଙ୍କ କହିବାନୁସାରେ, ହିଜବୁଲ୍ଲା ରବିବାର ଦିନ ଇସ୍ରାଏଲର ଉତ୍ତର ବିନୟାମିନା ନିକଟରେ ଥିବା ଏକ ଆଇଡିଏଫ୍ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀର ଚାରିଜଣ ସୈନିକ ନିହତ ହୋଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ଏପଟେ, ଇସ୍ରାଏଲ- ହିଜବୁଲ୍ଲା ଯୁଦ୍ଧ ଭିତରେ ପୁଟିନଙ୍କୁ ଭେଟିଛନ୍ତି ଇରାନ ରାଷ୍ଟ୍ରପତି । କୁହାଯାଉଛି କି ଯେହେତୁ ଆମେରିକା ଇସ୍ରାଏଲକୁ ସମର୍ଥନ ଦେଉଛି ତେଣୁ ନିଜକୁ ବଞ୍ଚାଇବାକୁ ଋଷିଆ ଶରଣରେ ପଶିଛି ଇରାନ । ଅବଶ୍ୟ ଏହା ଦ୍ଵିପାକ୍ଷିକ ଆଲୋଚନା ବୋଲି ଋଷ ଗଣମାଧ୍ୟମରେ କୁହାଯାଇଛି କିନ୍ତୁ ଯୁଦ୍ଧ ଭିତରେ ଉଭୟ ନେତାଙ୍କ ଭିତରେ ହୋଇଥିବା ଆଲୋଚନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।