ଫ୍ରାନ୍ସ, ପର୍ତ୍ତୁଗାଲ, ସ୍ପେନ ଓ କ୍ରୋଏସିଆ ଭଳି ଦେଶରେ ବର୍ଦ୍ଧିତ ତାପମାତ୍ରା ଯୋଗୁଁ ଜଙ୍ଗଲ ଜଳୁଛି। ସର୍ବାଧିକ ଗରମ ଅନୁଭୂତ ହେଉଛି ପଶ୍ଚିମ ଫ୍ରାନ୍ସରେ । ବିଶେଷଜ୍ଞମାନେ କହୁଛନ୍ତି ଏହି ଗ୍ରୀଷ୍ମ ପ୍ରବାହ ବିନାଶକାରୀ । ଫ୍ରାନ୍ସର ୧୫ରୁ ଉର୍ଦ୍ଧ୍ୱ ଅଞ୍ଚଳରେ ତାପମାତ୍ରା ରେକର୍ଡ ସ୍ତର ପାର କରିବା ନେଇ ଆଶଙ୍କା । ବଢୁଛି ଜଙ୍ଗଲ ପୋଡି ଘଟଣା । ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ଘର ଛାଡିବା ପାଇଁ ବାଧ୍ୟ କରାଯାଉଛି। ଏ ପର୍ଯ୍ୟନ୍ତ ଉଦ୍ଧାର ହେଲେଣି ୨୪,୦୦୦ରୁ ଅଧିକ ଲୋକ । ସ୍ପେନ, ପର୍ତ୍ତୁଗାଲ ଓ ଗ୍ରୀସର ଜଙ୍ଗଲଗୁଡିକରେ ବ୍ୟପୁଛି ନିଆଁ । ଫଳରେ ହଜାର ହଜାର ଲୋକ ପଳାୟନ କରୁଛନ୍ତି। ବ୍ରିଟେନରେ ବି ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇ ରେକର୍ଡ ଭାଙ୍ଗୁଛି ।
ଜଙ୍ଗଲଗୁଡିକରେ ଲାଗିଥିବା ନିଆଁ ୟୁରୋପରେ ତାପମାତ୍ରାକୁ ଆହୁରି ବଢ଼ାଇ ଦେଇଛି। ବିଶେଷଜ୍ଞଙ୍କ ମାତ୍ରେ ଜଳବାୟୁ ପରିବର୍ତ୍ତନ ହେଉଛି ତାପମାତ୍ରା ଓ ଜଙ୍ଗଲ ନିଆଁ ବଢିବାର କାରଣ । ଜଙ୍ଗଲ ଗୁଡିକୁ ନିଆଁର ପ୍ରକୋପରୁ ବଞ୍ଚାଇବା ପାଇଁ ହଜାର ହଜାର ଅଗ୍ନିଶମ କର୍ମଚାରୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଚଳିତବର୍ଷ ପର୍ତ୍ତୁଗାଲରେ ନିଆଁ ଲାଗିବା ଯୋଗୁଁ ୩୦,୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇସାରିଲାଣି। ମଣିଷ ପ୍ରକୃତି ଉପରେ ଦାଉ ସାଧୁଥିଲା, ଏବେ ପ୍ରକୃତି ଦାଉ ସାଧୁଛି ମଣିଷଙ୍କ ଉପରେ।