ଅଧକ ପଢନ୍ତୁ : ଦୁର୍ବଳ ହେଉଛି 'ମିଗଜୋମ୍'
ଲଗାଣ ବର୍ଷା ପରେ କୋଟିଆ ପଂଚାୟତରେ ଛୋଟ ଭୂସ୍ଖଳନ ହୋଇଛି । ମାଡକାର ଗାଁକୁ ଯିବା ରାସ୍ତାରେ ପାହାଡ଼ରୁ ପଥର ଖସିଛି । ପଥର ମୁଖ୍ୟ ରାସ୍ତାରେ ପଡ଼ିଥିଲେ ବି ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ମେଡଙ୍ଗଗନ୍ଦି ଅଞ୍ଚଳରେ ତିନିଟି ଘରର ଛପର ଉଡିବା ସହିତ ଘର ଭାଙ୍ଗିଯାଇଛି । ଏପଟେ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ବ୍ରହ୍ମପୁର ମହାମାୟୀ କଲେଜ ଭିତରେ ପଶିଛି ଡ୍ରେନପାଣି । ସହରର ଅଞ୍ଚଳରେ ବର୍ଷା ପାଣିରେ ହାଲ୍ ବେହାଲ୍ ହୋଇଛି ।
ବାତ୍ୟା ଓ ବର୍ଷାରେ ଜୀବନ ନିରାପଦ ରହିଛି କିନ୍ତୁ ବିପନ୍ନ ହୋଇଛି ଜୀବିକା । ହତାଶ ହୋଇଛନ୍ତି ଚାଷୀ କୂଳ । ତିନି ଦିନ ବର୍ଷା ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କର ଅନେକ କ୍ଷୟକ୍ଷତି କରିଛି । ଧାନଠାରୁ ଆରମ୍ଭ କରି କପା, ହରଡ଼ ଓ ମାଣ୍ଡିଆ ଏବଂ ପନିପରିବା ଚାଷ ନଷ୍ଟ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ବର୍ଷାରେ ଶୋଇ ପଡ଼ିଛି ପାଚିଲା ଧାନ ଗଛ । ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଥିବା ଧାନ ଭିଜିଛି । ଗଜପତି ମୋହନାରେ ବହୁ ପରିମାଣର ମକା ଓ ଧାନ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଧାନ ଗଛ ସବୁ ଶୋଇଯାଇଥିବା ବେଳେ କେଣ୍ଡାରୁ ଧାନ ଝଡି ଯାଇଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି ରହିଛି । ଏ ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସେହିପରି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ବିଜେପୁରରେ ବର୍ଷାରେ ବିପନ୍ନ ହୋଇଛି ଫସଲ । ମଣ୍ଡିରେ ପଡ଼ିଥିବା ଧାନ ମଧ୍ୟ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ ।
ଅମଳ ଋତୁରେ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଧାନ ରାଜ୍ୟର ପ୍ରମୁଖ ଫସଲ । କିନ୍ତୁ ଆଖି ଆଗରେ ଏହାକୁ ବରବାଦ ହେଉଥିବା ଦେଖି ଚାଷୀର ଛାତି ଫାଟି ଯାଉଛି । ଏବେ କୃଷି ବୀମାକୁ ନେଇ ସବୁକିଛି ସ୍ବଚ୍ଛତା ରହିଥିବାବେଳେ ରାଜ୍ୟ ସରକାର ସଠିକ୍ ଆକଳନ କରୁନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଲା କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବ ତ ? କ୍ଷୟକ୍ଷତିର ଶିକାର ପ୍ରକୃତ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?