କୋଲକତା ଆର ଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ପୁରା ଦେଶରେ ଆକ୍ରୋଶର ନିଆଁ ଜଳୁଛି । ଘଟଣା ଘଟିବା ପରେ ଯେଉଁପରି ଭାବରେ ମାମଲାକୁ ଚପାଇ ଦିଆଗଲା, ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଗଲା ତାହା ପୁରା ଦେଶ ଦେଖିଲା । ଏମିତିକି ଅପରାଧୀକୁ ଘଂଟ ଘଉଡାଇବା ସହ ପୀଡ଼ିତାଙ୍କ ପରିବାକୁ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ ଚାପ ପକାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଶେଷରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରିବା ସହିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟ ଘଟଣାକୁ ନିନ୍ଦା କରିଥିଲେ । ଶେଷରେ ନଇଁଥିଲେ ଦିଦି । ଡାକ୍ତରଙ୍କ ସହ ଆଲୋଚନା କରିବାକୁ ରାଜି ବି ହୋଇଯାଇଥିଲେ । ହେଲେ ଦିଦିଙ୍କ ଆଲୋଚନାକୁ ଡାକ୍ତର ସଂଘ ପ୍ରତ୍ୟାଖାନ କରିଦେବାକୁ ଏବେ ଚର୍ଚ୍ଚା ଜୋର ଧରିଛି ।
ଆର୍ଜି କର ମେଡିକାଲ କଲେଜ ମାମଲା ବିଚାରାଧୀନ ଥିବାରୁ ସରକାର-ଆନ୍ଦୋଳନକାରୀଙ୍କ ଆଲୋଚନାର ସିଧାପ୍ରସାରଣ କରାଯାଇପାରିବ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି। ଆମେ ଡାକ୍ତରଙ୍କ ସହ ବୈଠକର ଭିଡିଓ ରେକର୍ଡିଂ ପାଇଁ ବ୍ୟବସ୍ଥା କରିପାରିବୁ। ଏହି ରେକର୍ଡିଂକୁ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଆମେ ସେୟାର କରିପାରିବୁ ବୋଲି ମମତା କହିଛନ୍ତି। ଆନ୍ଦୋଳନରତ ଡାକ୍ତରଙ୍କ ସହ କଥାବାର୍ତ୍ତା ପାଇଁ ୩ ଥର ଚେଷ୍ଟା କଲି, କିନ୍ତୁ ଡାକ୍ତରମାନେ ଆସିଲେନି। ମୁଁ ନ୍ୟାୟ ଚାହେ ଏବଂ କିଭଳି ଭାବେ ନ୍ୟାୟ ମିଳିବ ସେ ନେଇ ଚିନ୍ତିତ। ଏବେ ବି ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ମମତା କହିଛନ୍ତି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ସରକାରଙ୍କ ଅଡୁଆ ବଢାଇଦେଇଛି ଡାକ୍ତରଙ୍କ ଆନ୍ଦୋଳନ । ଆଗକୁ ବିଧାନସଭା ନିର୍ବାଚନ ବି ଆସୁଛି । ତେଣୁ ଯଦି ଏମିତି ସ୍ଥିତି ଲାଗିରହେ ତାହାଲେ ହାତରୁ ଚୌକି ଯିବାର ଡର ବି ରହିଛି ଦିଦିଙ୍କର । ତେଣୁ ଯେସ୍ତେକେସ୍ତେ ଆଲୋଚନା କରି ମାମଲାକୁ ଚପାଇଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଛି ।