INS ବିକ୍ରାନ୍ତ ପରେ ଆସୁଛି INS ବିଶାଳ । ଡ୍ରାଗନ ଚୀନକୁ ଟକର ଦେବାକୁ ଭାରତ ତିଆରି କରିବ ଆଉ ଗୋଟିଏ ସ୍ୱେଦେଶୀ ବିମାନବାହକ ଯୁଦ୍ଧପୋତ । ଯାହାର ନାମ ହେବ ବିଶାଳ । ବିଶାଳ ଭାରତୀୟ ନୌସେନାରେ ସାମିଲ ହେବା ପରେ ଚୀନ୍,ଭାରତ ସ୍କୋର ହେବ ୩-୩ ।
ଚୀନ୍ ପାଖରେ ଏବେ ୩ଟି ଏୟାରକ୍ରାଫ୍ଟ କ୍ୟାରିୟର ବା ବିମାନବାହକ ଯୁଦ୍ଧପୋତ ରହିଛି । ଅନ୍ୟପକ୍ଷରେ ଭାରତ ପାଖରେ ଅଛି ଦୁଇଟି । ବିଶାଳ ଭାରତୀୟ ନୌସେନାକୁ ସମୁଦ୍ରର ବାହୁବଳୀ କରିବ । ବିଶାଳ କେମିତି ବିକ୍ରାନ୍ତ ଓ ବିକ୍ରମାଦିତ୍ୟଠାରୁ ଅଲଗା ଏ ପ୍ରଶ୍ନ ମଧ୍ୟ ଆସିବା ସ୍ବାଭାବିକ। କାରଣ ବିଶାଳର ନିର୍ମାଣରେ ପାଖାପାଖି ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ମାଣ ସରିଲେ ଏହି ଯୁଦ୍ଧ ପୋତ ଘଣ୍ଟା ପ୍ରତି ୫୫ ନଟିକାଲ ମାଇଲସ ବେଗରେ ଗତି କରିପାରିବ । ଏହାର ରେଞ୍ଜ୍ ୧୪ ହଜାର କିଲୋମିଟର ରହିଛି । ଏଥିରେ ୨୩ ଶହ ସୈନିକ ରହି ପାରିବେ ।
ଅନ୍ୟପକ୍ଷରେ ବିକ୍ରାନ୍ତ ଓ ବିକ୍ରମାଦିତ୍ୟରେ ସୈନିକଙ୍କ ସଂଖ୍ୟା ୧୫ଶହରୁ ୧୭ ଶହ ମଧ୍ୟରେ । ବିଶାଳ ଛାତିରୁ ୫୫ ଲଢୁଆ ବିମାନ ଉଡ଼ାଣ ଭରି ପାରିବେ । ଅନ୍ୟପକ୍ଷରେ ବିକ୍ରାନ୍ତ ଓ ବିକ୍ରମାଦିତ୍ୟ ୩୫ ଲଢୁଆ ବିମାନ ବହନ କରିଥାନ୍ତି । ଏହାର ଦୈର୍ଘ୍ୟ ୨୮୪ ମିଟର ଓ ପ୍ରସ୍ତ ୬୦ ମିଟର ହେବାର ସମ୍ଭାବନା ରହିଛି ।
INS ବିଶାଳ ଭାରତର ତୃତୀୟ ବିମାନ ବାହକ ପୋତ ହେବ । ସଂସ୍କୃତ ଶବ୍ଦ ବିଶାଳର ଅର୍ଥ ହେଉଛି ଭବ୍ୟ ଓ ବିରାଟ । ଯାହା ସତରେ ହେବାକୁ ଯାଉଛି ବିଶାଳକାୟ ଯୁଦ୍ଧପୋତ । ବିକ୍ରାନ୍ତ ପରେ ଦ୍ୱିତୀୟ ସ୍ୱଦେଶୀ ବିମାନ ବାହକ ପୋତ ହେବ । ବିଶାଳକୁ କୋଚିନ୍ ସିପୟାର୍ଡ୍ ଲିମିଟେଡ୍ ତିଆରି କରିବା ସମ୍ଭାବନା ରହିଛି । କୋଚିନ୍ ସିପୟାର୍ଡ୍ ହଁ ବିକ୍ରାନ୍ତର ନିର୍ମାଣ କରିଥିଲା । ବିଶାଳ ୬୫ ହଜାର ଟନ ଓଜନ ବିଶିଷ୍ଟ ହେବ ।
ଯାହାକି ଭାରତର ସବୁଠାରୁ ବଡ଼ ବିମାନ ବାହକ ପୋତ ହେବ । ଆଇଏନଏସ ବିକ୍ରମାଦିତ୍ୟ ଓ ବିକ୍ରାନ୍ତର ଓଜନ ୪୫ ହଜାର ଟନ୍ । ଆଇଏନଏସ ବିଶାଳରେ ୫୫ ଲଢୁଆ ବିମାନ ରହି ପାରିବେ ।ବିକ୍ରାନ୍ତ ଭାରତରେ ତିଆରି ହୋଇଥିବା ବେଳେ ବିକ୍ରମାଦିତ୍ୟକୁ ଭାରତ ଋଷଠାରୁ କିଣିଥିଲା ।
INS ବିଶାଳ ଗଲା ଦୁଇ ଦଶକ ଧରି ବ୍ଲୁ ପ୍ରିଣ୍ଟରେ ରହି ଆସିଥିବା ବିମାନବାହକ । ପ୍ରଥମେ ବାଜପାୟୀ ସରକାର ଏହାକୁ ନେଇ ଚିନ୍ତା କରିଥିଲେ । କିନ୍ତୁ କାମ ଆଗକୁ ବଢିନଥିଲା । ଏବେ ମୋଦିଙ୍କ ଶାସନ କାଳରେ ସେହି ବିରାଟ ସ୍ୱପ୍ନ ବିଶାଳର ରୂପ ନେବାକୁ ଯାଉଛି ।
ପ୍ରଥମେ ଏହା ୨୦୨୦ ସୁଧା ନୌସେନାରେ ସାମିଲ ହେବାର ଥିଲା । କିନ୍ତୁ କାମ ଅଟକି ଯାଇଥିଲା । ଅଟକି ଯାଇଥିବା କାମକୁ ମୋଦି ସରକାର ଫୁଲ୍ ସ୍ପିଡ୍ ଦେଇଥିବା କୁହାଯାଉଛି । ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ୨୦୩୦ ବେଳକୁ ବିଶାଳ ସମୁଦ୍ରରେ ଥିବ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବା ବିକ୍ରମାଦିତ୍ୟା ଓ ବିକ୍ରାନ୍ତ ଥିବା ବେଳେ ବିଶାଳର ଆବଶ୍ୟକତା କାହିଁକି ପଡି଼ଲା ? ଉତ୍ତର ହେଉଛି ,ଯେ ବିଗତ କିଛି ବର୍ଷ ମଧ୍ୟରେ ଭାରତ ମହାସାଗରେ ଚୀନର ଚଞ୍ଚକତା ବଢିଛି । ଡ୍ରାଗନ ଭାରତ ମହାସାଗରକୁ ତା’ ପ୍ରଭାବକ୍ଷେତ୍ର କରିବାକୁ ଉଦ୍ୟମ କରୁଛି ।
ଭାରତ ମହାସାଗର ଦେଇ ବିଶ୍ୱ ଅର୍ଥନୀତିର ୮୫ ପ୍ରତିଶତ କାରବାର ହୋଇଥାଏ । ଏହା ଉପରେ ଚୀନର ପ୍ରଭାବ ବୃଦ୍ଧି ଅର୍ଥ ମୁକ୍ତ ବାଣିଜ୍ୟ ପ୍ରଭାବିତ ହେବ । ଡ୍ରାଗନକୁ ଲଗାମ କସିବା ପାଇଁ ଭାରତ ଆଉ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ନିହାତି ଆବଶ୍ୟକ କରେ ।