ସାଧାରଣ ଟ୍ରେନ୍ରେ ଯେକୌଣସି ଯାତ୍ରୀଙ୍କୁ ଯଦି ପ୍ରଶ୍ନ କରାଯାଏ ଆପଣଙ୍କ ଯାତ୍ରା କେମିତି ଥିଲା ? ଯାତ୍ରା ଭଲ ଥିଲା କିନ୍ତୁ ଟ୍ରେନ ଅପରିଷ୍କାର ଥିବା ପ୍ରାୟ ଯାତ୍ରୀ କୁହନ୍ତି । ହେଲେ ଏମିତି ଅଭିଯୋଗ ଆଉ ଶୁଣିବାକୁ ମିଳିବ ନାହିଁ । କାରଣ ଯାତ୍ରୀଙ୍କ ଯାତ୍ରାକୁ ଆରାମଦାୟ କରିବାକୁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କଥା ହେଲା ଟ୍ରେନକୁ ସଫା ରଖିବାକୁ ରେଲୱେ ଆଉଟସୋର୍ସିଂ କରିଛି । ହେଲେ ବି ଟ୍ରେନ୍ ଭଲରେ ସଫା ହୋଇପାରୁନାହିଁ । ତେଣୁ କ୍ୟାମେରା ଲଗାଇବା ପରେ ଏବେ ସବୁ ସମସ୍ୟାର ସମାଧାନ ହେବ ବୋଲି କୁହାଯାଉଛି ।
କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସ୍ଵଚ୍ଛଭାରତ ମିଶନ ଆରମ୍ଭ ହୋଇଥିଲା । ଏହି ମିଶନ୍ରେ ଦେଶକୁ ସ୍ଵଚ୍ଛ ରଖିବାକୁ ପ୍ଲାନ କରାଯାଇଥିଲା । ଗଳିଗଳିରେ ସଫେଇ କାର୍ଯ୍ୟକ୍ରମ ବି ହେଲା । ବାସ୍ ଏବେ ଟ୍ରେନ୍ରେ ସେହି ମିଶନ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । ସୂଚନା ଅନୁସାରେ ବିଭିନ୍ନ ଟ୍ରେନ୍ରେ ପ୍ରାୟ ୪୦ ହଜାର କ୍ୟାମେରା ଲଗାଯିବ । ଏହି କ୍ୟାମେରା ପାଇଁ ଟେଣ୍ଡର ବି ହେବ । ଟେଣ୍ଡର ହେବା ପରେ ଖୁବଶୀଘ୍ର ଟ୍ରେନ୍ରେ କ୍ୟାମେରା ଲଗାଯିବ କାମ ଆରମ୍ଭ ହେବ । ଖାଲି ଏତିକି ନୁହେଁ ଏହି କ୍ୟାମେରା ଷ୍ଟେସନରୁ ହିଁ ଅପରେଟ୍ ହେବ ବୋଲି କୁହାଯାଉଛି ।
ଭାରତରେ ଚାଲୁଥିବା ଟ୍ରେନ ଗୁଡ଼ିକ ହଜାର ହଜାର କିଲୋମିଟର ଯାତ୍ରା କରେ । ଏହାରି ଭିତରେ ଅନେକ ଷ୍ଟେସନରେ ରହଣୀ ମଧ୍ୟ ଥାଏ । ସଫର ସମୟରେ ଶହଶହ ଯାତ୍ରୀ ଟଏଲେଟ୍ ବ୍ୟବହାର କରିବା ସ୍ଵାଭାବିକ କଥା । ତେଣୁ ଶୌଚାଳୟ ଅପରିଷ୍କାର ହୁଏ । ହେଲେ ନୂଆ ବ୍ୟବସ୍ଥା ଆସିବା ପରେ ଷ୍ଟେସନରୁ ଷ୍ଟେସନ ଅନ୍ତରରେ ଟ୍ରେନ ସଫା ହେବ ବୋଲି କୁହାଯାଇଛି । ଏମିତିକି ସଫେଇ କାର୍ଯ୍ୟରେ ଯଦି କୌଣସି ବ୍ୟତିକ୍ରମ ହୁଏ ସଙ୍ଗେ ସଙ୍ଗେ କ୍ୟାମେରା ଷ୍ଟେସନକୁ ଜଣାଇଦେବ । ଯଦି କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥାଆନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।