ଦେଶର ଉତ୍ତର ପୂର୍ବ ରାଜ୍ୟ ମେଘାଳୟ । ପରମ୍ପରା ପାଇଁ ସେ ରାଜ୍ୟ ଏବେ ଭାରି ଚର୍ଚ୍ଚାରେ । ଖାସ କରି ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି । ଯେଉଁଥିରେ ବିବାହ ପରେ କନ୍ୟା ନୁହେଁ ବରଂ ବର ଶାଶୂ ଘରକୁ ଯାଏ । ଯାହା ଆମ ସମାଜରେ ହୁଏନି । କାରଣ ଆମ ଓଡ଼ିଆ ଘରର ଚଳଣିରେ ଶାଶୂଘରକୁ ଝିଅ ଯିବାର ପ୍ରଥା ରହିଛି । ତେଣୁ ବାହାଘରକୁ କନ୍ୟାଦାନ ବୋଲି କୁହାଯାଏ । ହେଲେ ଏବେ ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି ମେଘାଳୟରେ । କାରଣ ମେଘାଳୟରେ କନ୍ୟା ନୁହେଁ ବର ହିଁ ଶାଶୂଘରକୁ ଯିବାର ପ୍ରଥା ଚାଲିଆସିଛି ।
ଖାସି ଜନଜାତି । ପୂର୍ବରୁ କେବେ ନାଁ ଶୁଣିଥିବେ କି ନାହିଁ ? ହେଲେ ମେଘାଳୟରେ ଏହି ଜନଜାତି ବେଶ ଚର୍ଚ୍ଚାରେ । କାରଣ ପୁଅଙ୍କ ଅପେକ୍ଷା ଝିଅଙ୍କୁ ସେଠାରେ ବେଶୀ ଗୁରୁତ୍ଵ ଦିଆଯାଉଛି । ପୂର୍ବ ମେଘାଳୟରେ ରହୁଥିବା ଏହି ଜନଜାତି ମାଟ୍ରିଲାଇନ୍ ସିଷ୍ଟମ୍ ଅଧୀନରେ କାମ କରନ୍ତି । ଅର୍ଥାତ୍, ମାଆଙ୍କର ସମ୍ପତ୍ତି ପୁଅ ପରିବର୍ତ୍ତେ ତାଙ୍କ ଝିଅକୁ ହସ୍ତାନ୍ତର କରାଯାଏ । ଖାସି ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅଧିକାର ଉପଭୋଗ ବି କରନ୍ତି । ଯାହା ଭାରତରେ ପ୍ରଥମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଖାସି ଝିଅମାନେ ନିଜ ଜୀବନ ସାଥୀ ବାଛିବା ପାଇଁ ସ୍ୱାଧିନତା ପାଇଥାଆନ୍ତି । ଏମିତିକି ଝିଅମାନେ ପୁଅ ଘରକୁ ପ୍ରସ୍ତାବ ଦେଇଥାଆନ୍ତି । କିଏ କିଏ କୁହନ୍ତି ପୁଅ ଘର ପକ୍ଷରୁ ଯୌତୁକ ବି ଝିଅ ଘରକୁ ମିଳେ । ଅବଶ୍ୟ ଏହା କେତେ ସତ, କେତେ ଗପ ସେନେଇ ଆମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏଠାରେ କହିରଖୁଛୁ କି, ଭାରତରେ ଖାସି ଜନଜାତିର ମୋଟ ଜନସଂଖ୍ୟା ୧୪ ଲକ୍ଷ ୨୭ ହଜାର ୭୧୧ ରେ ପହଞ୍ଚିଲାଣି କିନ୍ତୁ ସେମାନଙ୍କ ଭିନ୍ନ ପରମ୍ପରା ପାଇଁ ସେମାନେ ଏବେ ବି ଚର୍ଚ୍ଚାରେ ।