ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ପଶିଥିବା ୯ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ପାଖରୁ ୩୦ କେଜି ସମ୍ବର ମାଂସ ଓ ୯ଟି ଦେଶୀବନ୍ଧୁକ ଜବତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ରାତିରେ ଶିମିଳିପାଳର ଜେନାବିଲ ରେଞ୍ଜ ଅଞ୍ଚଳରେ ଉଦଳା ଥାନାର ପାଟଶାଣୀପୁର ଓ କୁଣ୍ଡାବାଇ ପଞ୍ଚାୟତର ଉପରତଳଡିହା, ଜାମଡିହା, ଖାଳିଡିହି ଆଦି ଶିମିଳିପାଳ ସଂଲଗ୍ନ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଶିକାରୀ ବହୁ ସଂଖ୍ୟକ ଦେଶୀଶବନ୍ଧୁକ ସହିତ ଏକସଙ୍ଗେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ପଶିଥିଲେ ।
ତେବେ ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର କର୍ମଚାରୀ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ସହିତ ମିଳିତ ଭାବେ ଚଢାଉ କରିଥିଲେ । ଏଥିରେ ୯ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୯ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି । ଘଟଣା ସ୍ଥଳରୁ ଖସି ପଳାଇଥିବା ଅନ୍ୟ ଶିକାରୀମାନଙ୍କୁ ଗିରଫ ପାଇଁ ତନାଘନା ଜାରିରହିଥିବା ନେଇ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର