କେନ୍ଦ୍ରମନ୍ତ୍ରୀ ଉଠାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଏହି ଗମହା ଗାଁର ସ୍ଥିତି ଅତି ଦୟନୀୟ । ୧୨୦ପରିବାର ରହୁଥିବା ଏହି ଗାଁରେ ପାନୀୟ ଜଳ ଅଭାବରୁ କିଡନୀ ରୋଗ ବ୍ୟାପୁଛି । ସେଥିପାଇଁ ମାର୍ଶାଘାଇ ବଜାରରୁ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆଉ ଗାଁ ଲୋକେ ଚେତାବନୀ ଦେଇଛନ୍ତି ଏଥର ପାଣି ନାହିଁତ ଭୋଟ ନାହିଁ ।
ସେହିପରି ସମ୍ବାଦପତ୍ରରେ ଡିଏମଏଫର ଦୁରୁପଯୋଗ ସମ୍ପର୍କିତ ଆଉ ଏକ ଖବର ପୋଷ୍ଟ କରି ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ରାଉରକେଲା ପୋଲିସ ଇନୋଭା ଗାଡି କିଣୁଛନ୍ତି ।
ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଗ୍ରାମବାସୀଙ୍କୁ ନିଜେ ରାସ୍ତା ନିର୍ମାଣ କରିବାକୁ ପଡୁଛି, ଯାହା କ୍ଷୋଭ ଓ ପରିତାପର ବିଷୟ । ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ? ଯେଉଁ ଖଣି ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଡିଏମଏଫ ପାଣ୍ଠି ଉଦ୍ଧିଷ୍ଟ, ସେମାନେ ଆଜି ସର୍ବନିମ୍ନ ନାଗରିକ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ସ୍ଥାନୀୟ ସରକାରର ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ କି ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡ଼ପୁରୁଣାପାଣି ପଞ୍ଚାୟତର ଏହି କପଣ୍ଡ ଗାଁ ଲୋକେ ଦଶନ୍ଧି ଦଶନ୍ଧି ଧରି ରାସ୍ତା ସମସ୍ୟାକୁ ନେଇ କଲବଲ ହୋଇଆସୁଛନ୍ତି । ଆଉ ବର୍ଷା ଦିନେ ଏମାନଙ୍କ ଜୀବନ ଯେମିତି ଅଭିଶପ୍ତ ପାଲଟିଯାଉଛି । ସ୍ବାସ୍ଥ୍ୟ ସେବା ପାଇଁ ଚାଲି ଚାଲି କପଣ୍ଡ ଗ୍ରାମକୁ ଆସିବାକୁ ପଡୁଛି । ରାସ୍ତା ନଥିବାରୁ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀ ଓ ଗର୍ଭବତୀଙ୍କୁ କପଣ୍ଡ ଗାଁ ଯାଏ ଖଟିଆରେ ବୋହିକି ନେବାକୁ ପଡୁଛି । ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଗୁହାରୀ ପରେ ବି କିଛି ହେଲାନି । ଶେଷରେ ନିଜେ ଗ୍ରାମବାସୀ ଶ୍ରମଦାନ କରି କପଣ୍ଡ ଗ୍ରାମରୁ ଦଲଦଲି ସାହି ଯାଏ ରାସ୍ତା ତିଆରି କରିଛନ୍ତି । ଇଏ ମାତ୍ର ଦୁଇଟି ଉଦାହରଣ ଖବରକାଗଜ ପୃଷ୍ଠାରୁ ସାମ୍ନାକୁ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ସାରା ରାଜ୍ୟରେ ଏପରି ପୁଳାପୁଳା ସମସ୍ୟା । ଯାହାକି ୨୪ ନିର୍ବାଚନରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ପ୍ରସଙ୍ଗ ବନି ସାରିଛି । ଆଉ ପ୍ରଶ୍ନ ଘେରକୁ ଆସିଛି ୨୫ ବର୍ଷର ସରକାରଙ୍କ ମିଛ ରୂପାନ୍ତରଣ ।