ସେପଟେ କରଞ୍ଜିଆକୁ ଜିଲ୍ଲା ମାନ୍ୟତା ଦାବି କରିବା ବିଜେଡି ନେତା ଦିଲୀପ ସାହୁଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ସୁପ୍ରିମୋଙ୍କ ଆକ୍ରୋଶର ଶିକାର ହୋଇ ଦଳରୁ ବହିଷ୍କୃତ ହୋଇଛନ୍ତି ଦିଲୀପ । ଗତ 3 ତାରିଖରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯିବାର ମାତ୍ର 10 ମନିଟ ପରେ ମଞ୍ଚରୁ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜନ କରାଯାଉଥିବା ଅଭିଯୋଗ କରିଥିଲେ ବିଜେଡି ବରିଷ୍ଠ ନେତା ଦିଲୀପ ସାହୁ । ଯଦି ରାଇରଙ୍ଗପୁରକୁ ଜିଲ୍ଲା କରାଯାଉଛି ତେବେ କରଞ୍ଜିଆକୁ ମଧ୍ୟ ଜିଲ୍ଲା ମାନ୍ୟତା ଦେବାକୁ ସେ ଦାବି କରିଥିଲେ । ଏହାସହ କରଞ୍ଜିଆକୁ ଜିଲ୍ଲା ମାନ୍ୟତା ନ ମିଳିଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଶୁଣାଇଥିଲେ । ଏହାପରେ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
1992 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଓଡ଼ିଶାରେ 13ରୁ 30 ଜିଲ୍ଲା ଘୋଷଣା କରିଥିଲେ । ତାଲିକାରୁ ବାଦ ପଡ଼ିଥିଲା ଆଠଗଡ଼ ଓ ଟିଟିଲାଗଡ଼ । ଦୀର୍ଘ 31 ବର୍ଷ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ କରିଆସୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଟିଟିଲାଗଡ଼କୁ 31ତମ ଜିଲ୍ଲା ଭାବେ ମାନ୍ୟତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ତେବେ ତା ପୂର୍ବରୁ ପଦମପୁରକୁ 31 ନମ୍ବର ଜିଲ୍ଲା ମାନ୍ୟତା ମିଳିବାକୁ ଯାଉଛି। ଉପ ନିର୍ବାଚନ ଭୋଟ୍ ଜିତିବାକୁ ପଦମପୁରକୁ ଜିଲ୍ଲା ଘୋଷଣାର ପ୍ରତିଶ୍ରୁତି ଦେଇ ବିରୁଡ଼ି ବସାରେ ହାତ ମାରିଛନ୍ତି ବିଜେଡି ସରକାର। ଏବେ ଚାରିଆଡୁ ଉଠୁଥିବା ଦାବିକୁ କେମିତି କରିବେ ମ୍ୟାନେଜ୍। କାହା ଦାବିକୁ କରିବେ ସ୍ବୀକାର ଆଉ କାହା ଦାବିକୁ ପ୍ରତ୍ୟାଖ୍ୟାନ।