ସେପଟେ ଚଳଚଞ୍ଚଳ ରଥଖଳା । ଦୁଇ ଦିନ ପରେ ରଥରେ କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ । ଏଥିପାଇଁ ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ । କୋଠ ସୁଆଁଶିଆ ମାନେ ରଥରେ କନାପକା କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥକୁ କଳସ ଉଠି ସାରିଥିବାବେଳେ ଓଲଟ ଶୁଆ ଓ ଅଁଳା ମଧ୍ୟ ଉଠି ସାରିଛି। ଚିତ୍ରକର ସେବାୟତ ତୂଳୀର ସ୍ପର୍ଶରେ ରଙ୍ଗ ଦେଉଛନ୍ତି । ୨୪୦ରୁ ଉର୍ଦ୍ଧ୍ବ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଜୋରସୋରରେ ଚାଲିଛି କାମ।
ଅନ୍ୟପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି। ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବରୋପ କରାଯାଇଛି। ଏହା ପୂର୍ବରୁ ପୁରୀ ଟାଉନ ଥାନାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରଖାଯାଇ ମକଡ୍ରିଲ କରାଯାଇଥିଲା । ଯେଉଁଥିରେ NDRF, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲରେ ସାମିଲ ହୋଇଥିଲେ।
ଆଜି ଅଲାରନାଥଙ୍କ ଅନବସର ଦର୍ଶନ ଶେଷଦିନ ହୋଇଥିବାବେଳେ ୧୩ଦିନ ଧରି ଶୀଳାକ୍ଷେତ୍ରରେ କାଳିଆ ସାଆଁନ୍ତଙ୍କ ଲୀଳାଖେଳା ସରିଛି । ଜୁଲାଇ 7 ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର