“ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢ଼ିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡ଼ାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି ।”
ଅର୍ଗସ ବ୍ୟୁରୋ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ । ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ ମଧୁସୂଦନ ଦାସ । ତାଙ୍କ ଉଦ୍ୟମରେ ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଗଠନ ହୋଇଥିଲା । ସେ ଥିଲେ ଜଣେ ସୁପ୍ରତିଷ୍ଠିତ ଓକିଲ, ସାହିତ୍ୟିକ, ସମାଜ ସେବକ, ଶିକ୍ଷକ । ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁର ଜଣେ ଜମିଦାର ପରିବାରରେ ମଧୁବାବୁ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଓକିଲ ।
ତାଙ୍କ ବାପାଙ୍କ ନାମ ରଘୁନାଥ ଦାସ ଓ ମା’ଙ୍କ ନାମ ପାର୍ବତୀ ଦେବୀ ଥିଲା । ପିଲା ବେଳେ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ପଡ଼ିଥିଲା । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: