ଅବପାତରୁ ବାତ୍ୟାର ରୂପ ନେବା ପରେ ଆଜି ବାତ୍ୟାର ରୂପ ନେଇ ସାରିଛି । ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ବୀପ ଭିତରେ ଉପକୂଳ ପାର କରିବ ଭୀଷଣ ବାତ୍ୟା । ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ । ଖାସ କରି ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପଅରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ।
ବାତ୍ୟା ଆସୁଥିବାରୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସରକାରୀ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତକାଲି ପ୍ରଥମ ଦଫାରେ ୯ଟି ଜିଲ୍ଲାକୁ ଏନଡିଆରଏଫ୍ ଟିମ୍ ବାହାରି ସାରିଛି । ସେହିପରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାରେ ମୁତୟନ ରହିବେ ୧୭ ଓଡ୍ରାଫ ଟିମ୍ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବାକୁ ଥିବାବେଳେ ଭଦ୍ରକ ଓ ବାଲେଶ୍ୱରରେ ୨ଟି ଏବଂ ଗଞ୍ଜାମ, କଟକ ଓ ମୟୂରଭଞ୍ଜରେ ବି ଟିମ୍ ସଜାଗ ରହିବେ ।
ସମ୍ଭାବ୍ୟ ବାତ୍ୟାରେ କେମିତି କାହାରି କୌଣସି ପ୍ରକାର ଅସୁବିଧା ନହେବ ସେନେଇ ସରକାର ସବୁପ୍ରକାର ବନ୍ଦୋବସ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଥମେ ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ସ୍ଥାନାନ୍ତର କରାଯିବ । ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ବି ପ୍ରସ୍ତୁତ ରହିଛି । ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି । ସବୁ ସେଣ୍ଟରରେ ମହିଳା ପୋଲିସ ରହିବେ । ସବୁଠି ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ।
ଯେହେତୁ ବାତ୍ୟା ଓଡ଼ିଶାରେ ମାଡ଼ ହେବ । ତେଣୁ ପବନ ବଢିବା ମାତ୍ରେ ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶକ୍ତି ବିଭାଗର ସଚିବ କହିଛନ୍ତି । ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ୧୦ ହଜାର ଷ୍ଟାଫ୍, ୮ ହଜାର ପୋଲ୍ ଓ ୫୦୦ ଟ୍ରାନ୍ସଫର୍ମର ରହିଛି । ମେଡ଼ିକାଲରେ ଯେମିତି କୌଣସି ସମସ୍ୟା ନହେବ ସେଇଥି ଲାଗି ଗୁରୁତ୍ଵ ଦିଆଯାଉଛି । ତେବେ ବାତ୍ୟାକୁ ନେଇ ପ୍ରତି ଘଂଟାରେ ଅପଡେଟ୍ ଖବର ଦେଉଛି ପାଣିପାଗ ବିଭାଗ ।