୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ । ତେଣୁ ୨୪ ଓ ୨୫ ଓଡ଼ିଶା ପାଇଁ ବଡ଼ ଗୁରୁତ୍ଵପୂର୍ଣ୍ଣ । ବାତ୍ୟା ସମୟରେ ପବନର ବେଗ ୧୨୦ କି.ମି ରହିପାରେ । ୨୪ରୁ ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ କେଉଁ ଜାଗାରେ ମାଡ଼ ହେବ ? କେତେ ଜୋରରେ ପବନ ବହିବ ? କେଉଁ ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବ ?ସେନେଇ ଅନେକ ଚର୍ଚ୍ଚା ଚାଲିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୨ ତାରିଖ ସକାଳ ବେଳକୁ ତାହା ଅବପାତରେ ପରିଣତ ହୋଇ ୨୩ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେବ । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ଅର୍ଥାତ୍ ଆସନ୍ତା ଗୁରୁବାର ଦିନ ଓଡ଼ିଶା-ପଶ୍ଚିମବଙ୍ଗକୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଞ୍ଚିବ । ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିପାରେ । ତେବେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଏହା ପ୍ରଭାବରେ ଖାଲି ପବନ କି ବର୍ଷା ନୁହେଁ ତାସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆଜି ସୁଦ୍ଧା ଫେରି ଆସିବାକୁ ଦେଇଛନ୍ତି ପରାମର୍ଶ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ହେବାର ପୂର୍ବାନୁମାନ କରାଯାଇଛି । ୨୪ରେ ଉପକୂଳବର୍ତ୍ତୀ ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ ରହିଛି । ଗଂଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗଜପତି, କନ୍ଧମାଳ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେମିତି ୨୫ ତାରିଖରେ ବି ପୁରୀ, ଖୋର୍ଦ୍ଧା, ଗଂଜାମ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ୨୬ ଓ ୨୭ ତାରିଖରେ ମଧ୍ୟ ସମ ପରିମାଣର ବର୍ଷା ହୋଇପାରେ ।
ମୋଟ୍ ଉପରେ ବାତ୍ୟାକୁ ନେଇ ଏବେ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି । ତେଣୁ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ବି ପ୍ରସ୍ତୁତି ଜୋରଦାର କରିଛନ୍ତି । ତେବେ ବାତ୍ୟା ପ୍ରକୃତରେ କେଉଁଠି ମାଡ଼ ହେବ ସେନେଇ ଏବେ କିନ୍ତୁ ଚିତ୍ର ସ୍ପଷ୍ଟ ହୋଇନି ।