ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ହଜାର ହଜାର ଭକ୍ତ ଶୈବପୀଠରେ ପହଞ୍ଚୁଛନ୍ତି । ଚଳିତବର୍ଷ ଶ୍ରାବଣ ମାସର ଆରମ୍ଭ ସୋମବାର ଏବଂ ଏହାର ଶେଷ ମଧ୍ୟ ସୋମବାର ଦିନ ପଡୁଛି । ଏଭଳି ଦୁର୍ଲ୍ଲଭ ସଂଯୋଗ ୭୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି ।
ଗତକାଲିଠାରୁ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିଲେ କାଉଡିଆ । ଧବଳେଶ୍ବର, ସିଦ୍ଧେଶ୍ୱର, କପିଳାସ, ଲିଙ୍ଗରାଜ, ଆରଡି ଅଭିମୁଖେ ଯାତ୍ରା କରୁଛନ୍ତି କାଉଡିଆ । ମହାନଦୀ ଓ କାଠଯୋଡି ନଦୀରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 24 ଘଣ୍ଟା ସଜାଗ ରହିବେ ଅଗ୍ନିଶମ ବାହିନୀ । ପ୍ରସ୍ତୁତ ରହିଛି ବୋଟ୍ । ଯେଉଁଠି ଗଭୀରତା ରହିଛି ସେଠି ବୁଡ ନପକାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରିଛନ୍ତି କର୍ମଚାରୀ ।