ଏହି ଆଇନ ଅନୁସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ପ୍ରଥମେ ଜାମିନବିହୀନ ଗିରଫ ପରୱାନା ଜାରି ସହ ୩ରୁ ୧୦ ବର୍ଷ ଯାଏଁ ଜେଲ୍ ଦଣ୍ଡାଦେଶ ଏବଂ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନାର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ବା ଆନସର୍ ସିଟ୍ ଲିକ୍ କରିବା, ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା, କମ୍ପ୍ୟୁଟର ନେଟୱର୍କରେ ଗଡ଼ବଡ଼ କରିବା, ଡୁପ୍ଲିକେଟ ପରୀକ୍ଷାର୍ଥୀଙ୍କ ଦ୍ବାରା ଉତ୍ତର ଲେଖାଉଥିବା ବ୍ୟକ୍ତିଙ୍କ ଉପରେ ସିଧାସିଧା ଏହି ଆଇନ ଅନୁସାରେ ଆକ୍ସନ ହେବ । ଖୋଦ୍ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରେସମିଟରେ ଏହି ଆଇନ ସମ୍ପର୍କରେ ଉଲ୍ଲେଖ କରିସାରିଛନ୍ତି । ୟୁପିଏସସି, ଏସଏସସି, ରେଳବାଇ, ବ୍ୟାଙ୍କିଙ୍ଗ ସମେତ ଜାତୀୟ ପରୀକ୍ଷା ଏଜେନ୍ସି ବା NTA ଦ୍ବାରା ପରିଚାଳିତ ହେଉଥିବା ସମସ୍ତ କମ୍ପ୍ୟୁଟ ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ । ସେପଟେ ଏହି ଆଇନ ଲାଗୁ ହେବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷାବିତମାନେ ଏହାକୁ ସ୍ବାଗତ କରିଛନ୍ତି । ଲକ୍ଷଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ମାଫିଆଙ୍କୁ ସାବାଡ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି । ସାରା ଦେଶ ଆଗରେ ଏବେ ପେପର୍ ଲିକ୍ ଏକ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦି ସରକାରର ଏହି ପଦକ୍ଷେପ ପେପର୍ ଲିକ୍ ଉପରେ ଲଗାମ କଷିବା ସହ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ।
ଅଧିକ ପଢନ୍ତୁ ଓଡ଼ିଶା ଖବର