- ବିଲୁଆ ଖାଇ ନଈର ନରହନ୍ତା କାହାଣୀ
- ରାତିର ଦ୍ଵିପ୍ରହରେ ଘଟିଥିଲା ଭୟଙ୍କର କାଣ୍ଡ
ଇଏ ଆଜିର କଥା ନୁହେଁ ବରଂ ୧୯୮୦ ମସିହାର କଥା । ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ଘଟଣା ମନେ ପଡ଼ିଲେ ଆଜି ବି ଲୋମଟାଙ୍କୁରୀ ଉଠେ । କୋଲକତା ଘଟଣାକୁ ନେଇ ଯେବେ ଚର୍ଚ୍ଚା ହୁଏ ସେବେ ଓଡ଼ିଶାର ଛବିରାଣୀ ଘଟଣା ଏଥିରୁ ବାଦ ପଡିବ ବା କେମିତି ? ନମସ୍କାର...ରାଜ୍ୟ ଓ ଦେଶର କିଛି ଅପରାଧ ପଛର କାହାଣୀର ପର୍ଦ୍ଦାଫାଶ କରିବାକୁ ମୁଁ ସ୍ଵୟଂପ୍ରଜ୍ଞା ଆସିଛି ଏହି ନୂଆ ଅଧ୍ୟାୟରେ, କେବଳ ଅର୍ଗସ ଡିଜିଟାଲରେ । ଛବିରାଣୀଙ୍କ ସହ କଣ ହୋଇଥିଲା ? କାହିଁକି ଗଣଦୁଷ୍କର୍ମ ହୋଇଥିଲା ? ସେ ସବୁର ଗୋଟି ଗୋଟି କାହାଣୀ କହିବା ଭିତରେ ଆପଣ ଅର୍ଗସ ଡିଜିଟାଲ ୟୁଟ୍ୟୁବକୁ ସବସ୍କ୍ରାଇବ କରିଦିଅନ୍ତୁ...
ଗଣଦୁଷ୍କର୍ମ ଆଉ ପରେ ହତ୍ୟା । ପୁଣି ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା । କିଏ ୧୨ ବର୍ଷ ପରେ ନ୍ୟାୟ ପାଏ, ତ କିଏ ନ୍ୟାୟ ପାଇବା ଆଶାରେ ସାରା ଜୀବନ କାଟିଦିଏ । ଆଉ କିଏ ସମାଜର ଲାଞ୍ଛନା , ଲଜ୍ଜ୍ୟାକୁ ସହି ନପାରି ନିଜ ଜୀବନକୁ ଜଳାଞ୍ଜଳୀ ଦେଇଦିଏ ବିନା ଦୋଷରେ। ବର୍ଷ ପରେ ବର୍ଷ ଗଡିଚାଲିଛି, ସମୟ ବଦଳୁଛି, ବଞ୍ଚିବାର ଶୈଳୀ ବଦଳୁଛି, ହେଲେ କିଛି କୁତ୍ସିତ କଦାକାର ଲୋକଙ୍କ ଚିନ୍ତାଧାରା ଆଜି ବି ବଦଳିପାରୁନି । କାରଣ ୮୦ ମସିହାର ସେହି ଚିନ୍ତାଧାରା ଆଉ ଆଜିର ଏକବିଂଶ ଶତାବ୍ଦୀର ସେହି ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ହେବାଭଳି ଲାଗୁନି ।
ଆପଣ ତ ଅନେକ ଗଣଦୁଷ୍କର୍ମର କାହାଣୀ ଗଣମାଧ୍ୟମ ଦ୍ବାରା ଶୁଣିଥିବେ , ହେଲେ ଆଜି ଆମେ ଆପଣଙ୍କୁ କହିବୁ ୮୦ ଦଶକର ସେହି ଛାତିଥରା ଲୋମଟାଙ୍କୁରା ଛବୀରାଣୀ ଗଣଦୁଷ୍କର୍ମର କାହାଣୀ । ଯେଉଁ କାହାଣୀ ପ୍ରତିଟି ପୃଷ୍ଠା ଥିଲା ଅତ୍ୟନ୍ତ ଭୟାନକ । କେମିତି ବଡ ପଦବୀ ଥିବା ଲୋକଙ୍କ କ୍ଷମତାରେ କାହାଣୀ ଭିନ୍ନ ମୋଡ ନିଏ, କେମିତି ଟଙ୍କାର ଲୋଭ ଦେଖାଯାଇ ଘଟଣା ଚପାଇବାକୁ ବାଧ୍ୟ କରାଯାଏ , ତାର ଜ୍ବଳନ୍ତ ଉଦାହରଣ ହେଉଛି ଛବୀରାଣୀ ହତ୍ୟାକାଣ୍ଡ ଘଟଣା । ଆଜି ସେହି ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ପୁରା ଘଟଣା ଜାଣିବା ।
ପୁରୀ ସହରର ଝିଅ ଥିଲେ ଛବିରାଣୀ । ଜଣେ ମଧ୍ୟବିତ୍ତ ପରିବାରର ଝିଅ । ପରିବାର ସହ ବେଶ ଖୁସିରେ ରହୁଥିଲେ । ଧିରେ ଧିରେ ବୟସ ବଢିବା ସହ ବିବାହ ବୟସରେ ପାଦ ଦେଲେ ଛବିରାଣୀ । ସେତେବେଳେ ସେଠାରେ ରହୁଥିବା ନବକିଶୋର ମହାପାତ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ପରିବାରର ସମ୍ମତି କ୍ରମେ ଉଭ୍ୟଙ୍କ ବିବାହ ହୋଇଥିଲା । ଏବଂ ବିବାହ ପରେ ପରେ ଉଭୟ ଜଗତସିଂହପୁର ଜିଲ୍ଲାର ବିରିଡି ଅଞ୍ଚଳରେ ରହୁଥିଲେ ।
ନବକିଶୋର ଜଣେ ସାମ୍ବାଦିକ ଥିଲେ । ଯିଏ ସରକାରଙ୍କ ବିରୋଧରେ ଅନେକ ଆର୍ଟିକିଲ ଛାପୁଥିଲେ । ଆଖାପାଖ ଗାଁର ଅନେକ ସମସ୍ୟାକୁ ସେ ଖବରକାଗଜରେ ଛାପୁଥିଲେ । ଯେଉଁ କାରଣରୁ ତାଙ୍କର ଅନେକ ରାଜନୈତିକ ଶତ୍ରୁ ହୋଇସାରିଥିଲେ । ତାଙ୍କୁ ସରକାର ବିରୋଧରେ ଖବର ଛାପିବା ପାଇଁ ଅନେକ ପ୍ରକାରର ଚାପ ମଧ୍ୟ ପଡିଥିଲା । ଅନେକ ଧମକ ଚମକ ଦିଆଯାଇଥିଲା । ତାଙ୍କ ଘରେ ପଶି ଜିନିଷପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲ । ହେଲେ ସେ ଜଣେ ନୀର୍ଭିକ ସାମ୍ବାଦିକ ଥିଲେ । ସେ ଆଦୌ କୌଣସି ବି ଚାପକୁ ଭୟ କରୁନଥିଲେ ।
ହେଲେ ତାଙ୍କୁ ଅତ୍ୟଧିକ ହଇରାଣ କରିବା ପରେ ତାଙ୍କୁ ଗାଁ ଛାଡିବାକୁ କୁହାଯାଇଥିଲା । ସେତେବେଳେ ତାଙ୍କର ୬ମାସର ପୁଅ ମଧ୍ୟ ଥିଲା । ପ୍ରଥମେ ରାଜି ନଥିବା ବେଳେ ବେଳେ ପରେ ସ୍ତ୍ରୀ ଛବିରାଣୀଙ୍କ କଥାରେ ସେ ଗାଁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।
ସେଦିନ ଥିଲା ୧୯୮୦ ମସିହା ଅକ୍ଟୋବର ୩ ତାରିଖ । ସନ୍ଧ୍ୟା ୭ବେଳେ ଘର ଛାଡି ଅନ୍ୟ ଜାଗାକୁ ଯିବାକୁ ବାହାରିଥିଲେ ଛବୀରାଣୀ, ସ୍ବାମୀ ନବକିଶୋର ଏବଂ ୬ମ ମାସର ପୁଅ । ଜଙ୍ଗଲ ରାସ୍ତା ଦେଇ ଯିବାବେଳେ ଏକ ନଦୀ ପଡିଲା, ଯାହାର ନାଁ ଥିଲା ବିଲୁଆଖାଇ ନଦୀ । ଏହି ନଦୀପଠାରେ ଯାଉଥିବା ବେଳେ କିଛି ବ୍ୟକ୍ତି ସେମାନଙ୍କ ପିଛା କରିଥିଲେ । ସେତେବେଳେ ଭୟରେ ସେମାନେ ଦୌଡିବାକୁ ଲାଗିଥିଲେ । ଏବଂ ଏହି ସମୟରେ ଛବିରାଣୀ ତାଙ୍କ ସ୍ବାମୀଙ୍କୁ ଛୁଆକୁ ନେଇ ସେଠାରୁ ପଳାଇବାକୁ ଅନୁରୋଧ କରିଥିଲେ । ଆଉ ନବକିଶୋର ସେଠାରୁ ଯିବାମାତ୍ରେ ସେହି ଲୋକମାନେ ଛବିରାଣୀଙ୍କୁ ଘେରି ଯାଇ ଗଣଦୁଷ୍କର୍ମ କରି ମାରି ଦେଇଥିଲେ । ଯେଉଁଥିରେ ସଂପୃକ୍ତ ଥିଲେ ଶାସକ ଦଳର କିଛି ମୁଷ୍ଟିମେୟ ନେତା । ସମୁଦାୟ ୮ ଜଣ ଲୋକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଯାହାକୁ ନିଜ ଆଖିରେ ଦେଖି ଭୋ ଭୋ ହୋଇ କାନ୍ଦିଥିଲେ ଛବିରାଣୀଙ୍କ ସ୍ବାମୀ ନବକିଶୋର । ତାଙ୍କୁ ଅଟକାଇବାର କୌଣସି ଉପାୟ ନଥିଲା । ଆଉ ଅଟକାଇଥିଲେ, ନିଜ ଜୀବନ ସହ ନିଜର ୬ ମାସର ଛୁଆର ଜୀବନ ମଧ୍ୟ ଚାଲି ଯାଇଥାନ୍ତା ।
ଏହାପରେ ପରେ ସେ ଏସପିଙ୍କ ପାଖକୁ ଅଭିଯୋଗ ନେଇ ଯାଇଥିଲେ । ହେଲେ ଶାସକ ଦଳର କୌଣସି ଲୋକଙ୍କ ନାଁ ନନେବା ପାଇଁ ତାଙ୍କୁ କୁହାଯାଇଥିଲା । ଏବଂ ଅନେକ ପ୍ରକାର ପ୍ରଲୋଭନ ଦିଆଯାଇଥିଲା । ଗଣମାଧ୍ୟମରେ ଏନେଇ ବିଭିନ୍ନ ପ୍ରକାର ଖବର ଛପାଯାଇଥିଲା । ଯାହାକୁ ନେଇ ଶାସକ ଦଳ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ଗଣଦୁଷ୍କର୍ମରେ ସାମିଲ ଥିବା ନେତାଙ୍କ ନାଁ ନନେବା ପାଇଁ ନବକିଶୋରଙ୍କ ଅନେକ ଟଙ୍କା ସହ ଅନେକ ପ୍ରଲୋଭନ ଦେଖାଯାଇଥିଲା । ସେ ରାଜି ବି ହୋଇଥିଲେ । ହେଲେ ସାମ୍ବାଦିକ ସମ୍ମିଳନୀରେ ସବୁ ସତ କହିବା ସହ କିପରି ପୋଲିସ ଅଫିସର, ତଥା , ଆଇଜି ଅଫିସରଙ୍କ ପକ୍ଷରୁ ତାଙ୍କୁ ଚାପ ପକାଯାଇଥିଲା, ସେକଥା ମଧ୍ୟ ସ୍ପଷ୍ଟ କରିଥଇଲେ । ଯାହାକୁ ନେଇ ସେତେବେଳେ ବିରୋଧୀ ଦଳ ନେତା ଖୁବ ବିଦ୍ରୋହ କରିଥିଲେ । ତଥାପି ସମସ୍ତ ନେତା ମନ୍ତ୍ରୀ ନବକିଶୋରଙ୍କ ପାଟି ଚୁପ କରାଇବା ପାଇଁ ଲାଗି ପଡିଥିଲେ । ହେଲେ କୋର୍ଟରେ ଜଜ୍ ଙ୍କ ସାମ୍ନାରେ ମଧ୍ୟ ସବୁ ସତ ଖୋଲି କହିଥିଲେ ନବକିଶୋର ।
ହେଲେ ଏତେ ସବୁ ପରେ ମଧ୍ୟ ହାଇକୋର୍ଟ ୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ । ଯେଉଁ କେସ ପାଇଁ ତାକୁ ସବୁ ସହିବାକୁ ପଡିଥିଲେ, ସେତେବେଳେ କୋର୍ଟର ଏମିତି ନିଷ୍ପତ୍ତି ତାଙ୍କୁ ଖୁବ କଷ୍ଟ ଦେଇଥିଲା । ହେଲେ ଘଟଣାର ୨୨ ବର୍ଷ ପରେ ଯେତେବେଳେ ଘଟଣା ସୁପ୍ରିମକୋର୍ଟକୁ ଯାଇଥିଲା , ସେତେବେଳେ ୨୦୦୨ ଏପ୍ରିଲ ରେ ଏହି ଘଟଣାର ଶୁଣାଣୀ କରିଥିଲା ସୁପ୍ରିମକୋର୍ଟ । ଏବଂ ଅଭିଯୁକ୍ତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଦଣ୍ଡବିଧାନ ଶୁଣାଯାଇଥିଲା । ହେଲେ ଏହି ମାମଲାକୁ ଚପାଇଥିବା ପଲିସ ଅଫିସର, ଡିଜିଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯାଇନଥିଲା ।
ପରେ ସରକାର ବଦଳିବା ପରେ ନବକିଶୋରଙ୍କୁ ଏବଂ ତାଙ୍କର ପୁଅକୁ ଚାକିରି ମଧ୍ୟ ଦିଆଯାଇଥିଲା । ହେଲେ ବିନା ଦୋଷରେ ଗୋଟେ ପରିବାର କିପରି ଛାରଖାର ହୋଇଗଲା, ଏହି ଛବିରାଣୀ ହତ୍ୟାକାଣ୍ଡ ତାର ଏକ ଜ୍ବଳନ୍ତ ଉଦାହରଣ ଥିଲା ।
ଦର୍ଶକବନ୍ଧୁ ସରକାର ଆସିବ, ଯିବ...ହେଲେ ଦୋଷୀଙ୍କୁ ଦଣ୍ଡ ଦେବାରେ ଯେ କୌଣସି ବିଳମ୍ବ ନହେବ ସେଇଥି ଲାଗି ସଜାଗ ହେବାର ଆବଶ୍ୟକତା ରହିଛି । ଏଠାରେ ଏକ ସ୍ପଷ୍ଟବାଦୀ କଥା କହିବୁ...ସତରେ କଣ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବାରେ ଆମେ ସକ୍ଷମ କି ? ଉତ୍ତର ଆପଣଙ୍କର । ଆପଣ ଆଗାମୀ ଭାଗରେ କେଉଁ ଅପରାଧର ପର୍ଦ୍ଦାଫାଶ କରିବାକୁ ଚାହୁଁଛନ୍ତି କମେଣ୍ଟ କରି ନିଶ୍ଚୟ କୁହନ୍ତୁ...ପୁଣି ଥରେ ନୂଆ ଏକ ଅଧ୍ୟାୟରେ ନୂଆ ଏକ ଅପରାଧର ଆମେ କରିବୁ ପର୍ଦ୍ଦାଫାଶ ।