ସଂନ୍ଧ୍ୟା ନଇଁବା ବେଳକୁ ବଡଦାଣ୍ଡରେ ଆରମ୍ଭ ହୋଇଯାଇଥିଲା ଗୋସାଣୀ ଦେବୀଙ୍କ ମେଳଣ ଉତ୍ସବ । ବିରାଟ ପଟୁଆରରେ ଆସୁଥିଲେ ଗୋଟିଏ ପରେ ଗୋଟିଏ ଗୋସାଣୀ ମେଢ । ସିଂହଦ୍ଵାର ସମ୍ମୁଖରେ ଏମିତି ଦୃଶ୍ୟମାନ ହେଉଥିଲେ ଯେ ଯେମିତି ଦେବୀମାନଙ୍କର ସଭା ଚାଲିଛି । ନାଚ ଗୀତର ରୁଣୁଝୁଣୁ ଆଉ ପାରମ୍ପରିକ ବାଦ୍ୟର ତାଳେ ତାଳେ ଚାଲିଥିଲା ନୃତ୍ୟ । ଭକ୍ତ ମା'ଙ୍କୁ ସିଂହଦ୍ବାରୁ ଦେବସଭାକୁ ପାଛୋଟି ଆଣିଥିଲେ ପୂଜା କମିଟି ସଦସ୍ୟ ଓ ଶ୍ରଦ୍ଧାଳୁ ।
ପ୍ରଥମେ ବଡ଼ଭଉଣୀ ମା’ ବାରବାଟୀ ଦେବସଭା ଅଭିମୁଖେ ବାହାରିବା ପରେ ଅନ୍ୟ ଦେବାଦେବୀ ଗୋସାଣୀ ଯାତକୁ ଯାଇଥିଲେ । ଶାରଦୀୟ ମହାପାର୍ବଣରେ ପରଦା ନଇଁବା ଆଗରୁ ମା'ଙ୍କ ଆଖିରେ ଆଖି ମିଶାଇ ଭକ୍ତଙ୍କ ଭାବ ଦିଆନିଆର ଅପୂର୍ବ ଦୃଶ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଭକ୍ତମାନେ ଗୋସାଣୀଙ୍କୁ ଦେଖି କେବଳ ମୁଣ୍ଡ ନୂଆଁଇ ପ୍ରଣାମ କରୁନଥିଲେ ବରଂ କାରିଗରୀର ମୂଲ୍ୟାୟନ ବି କରୁଥିଲେ ।
ସବୁଠି ମାଆ ଦୁର୍ଗାଙ୍କ ଉପାସନା ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପିଠା ଠାକୁରାଣୀ ଗୋସାଣୀ ଦେବୀଙ୍କର ହୋଇଥାଏ ଉପାସନା । ଜହ୍ନିଖାଇ, କାକୁଡିଖାଇ,ବାରବାଟୀ, ଗେଲବାଇ,ବେଲବାଇ, ସମ୍ପାତୀ ଚଢେଇ, ଶୂନ୍ୟ ଗୋଷାଣୀ,ନାଗା ଆଦି ଅନେକ ମେଢ । ବିଶେଷକରି ଜହ୍ନିମୁଣ୍ଡିଆ ଛକ ଜହ୍ନିଖାଇ ଠାକୁରାଣୀ ଓ ବାରବାଟୀ ଠାକୁରାଣୀଙ୍କ ବିଶାଳକାୟ ମୂର୍ତ୍ତି ଦେବସଭାକୁ ଆସିବା ବେଳର ଦୃଶ୍ୟ ଦେଖିବାକୁ ରାସ୍ତାର ଦୁଇ କଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ନାଚବାଈ ପଣିପ୍ରିୟା, ଗେଲବାର, ବେଲବାଇ, ବନଦୁର୍ଗା, ଶୂନ୍ୟ ଗୋଷାଣୀ, ଶିବପାର୍ବତୀ, ପଞ୍ଚମୁଖୀ ହନୁମାନ, ନବଗୁଞ୍ଜର, ସମ୍ପାତି, ଭାବଣ, ହାଡ଼ିଆ ଭୂତ ଓ ବୁଢାବୁଢୀ ମଧ୍ୟ ଦେବସଭାରେ ସାମିଲ ହୋଇଥିଲେ । ଦେବୀଙ୍କୁ ଆଳତି କରିଥିଲେ । ତେବେ ଗୋଷାଣୀ ଯାତ୍ରାରେ ବୁଢାବୁଢୀ ଓ ହାଡିଆ ଭୂତ ଭକ୍ତଙ୍କ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ।
ଏହି ବିଶାଳକାୟ ନାଗା ମୂର୍ତ୍ତି ଦେଖି ଆଖି ଖୋସି ହୋଇଯାଉଥିଲା ବୀରପ୍ରତିମ କାହାଣୀ ସାଙ୍ଗକୁ ତାହାର ଠାଣି କେତେ କାରୁକାର୍ଯ୍ୟପୂର୍ଣ୍ଣ ଦୃଶ୍ୟକୁ ଦେଖି ଚକିତ ହେଉଥିଲେ ଭକ୍ତ । ଦେବୀ ଓ ଗୋସାଣୀ ଦେବସଭାରେ ସମବେତ ହେବା ପରେ ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ଦର୍ଶନ କରି ବିସର୍ଜନ ପାଇଁ ବାହାରିଥିଲେ । ପ୍ରଭୁଙ୍କ ଆଶୀର୍ବାଦ ନେଇ ବିସର୍ଜନ ପାଇଁ ମେଲାଣି ନେଇଥିଲେ ମା' ଦୁର୍ଗତିନାଶିନୀ। ଆଉ ମା ଙ୍କର ଶେଷ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପଚାଶରୁ ଉର୍ଦ୍ଧ୍ବ ଗାସାଣୀ ମେଢ ଧାଡି ହୋଇ ବିରାଟ ଶୋଭାଯାତ୍ରାରେ ମେଲାଣିକୁ ଯିବାବେଳେ ଭକ୍ତିପୁତ ବିଦାୟ ଦେଇଛନ୍ତି ଶ୍ରୀକ୍ଷେତ୍ରବାସୀ । ପୁଣି ଆର ବର୍ଷକୁ ଅପେକ୍ଷା ।