ଗତକାଲି ଅଧାବାଟରେ ଅଟକିଥିଲେ ତିନି ଠାକୁର। ପୁରୀ ମରିଚିକୋଟ ଛକରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକି ରହିଥିବା ବେଳେ ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଥିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ସିଂହଦ୍ବାର ସମ୍ମୁଖରୁ ମାତ୍ର ଦୁଇ ପାଦ ଗଡ଼ି ଅଟକି ଯାଇଥିଲେ କାଳିଆ ସାଆନ୍ତେ । ଆଜି ସକାଳ ପ୍ରାୟ ୯ଟା ବେଳେ ପୁଣି ଆରମ୍ଭ ହୋଇ ଯାଇଥିଲା ରଥଟଣା। ରାତି ପାହିଲା ବେଳକୁ ଲୋକାରଣ୍ୟ ହୋଇ ସାରିଥିଲା ଶ୍ରୀକ୍ଷେତ୍ର। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଥିଲା। ଏହା ପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ। ଆଉ ଶେଷରେ ଗଡ଼ିଥିଲା କାଳିଆର ନନ୍ଦିଘୋଷ। ଯାହାକୁ ଅପେକ୍ଷା କରି ରହିଥିଲେ ଅଗଣିତ ଜଗନ୍ନାଥ ପ୍ରେମୀ। ଜନ୍ମବେଦି ଅଭିମୁଖେ ତିନି ରଥକୁ ଟାଣି ନେଇଥିଲେ ଭକ୍ତ।
ଅପରାହ୍ନ ପ୍ରାୟ ୨ଟା ୪୫ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ। ଶରଧାବାଲିରେ ରଥାରୁଢ଼ ଠାକୁରଙ୍କୁ ଦେଖି ଭକ୍ତିଭାବରେ ଗଦ୍ଗଦ୍ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଗରେ ‘ଗୀତ ଗୋବିନ୍ଦ’ ଗାଇଥିଲେ ସୂର୍ଯ୍ୟ ନାରାୟଣ ରଥଶର୍ମା। ଯାହା ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣିତ କରିଥିଲା। ଆସନ୍ତାକାଲି ଜନ୍ମବେଦିକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର