ବାପାଙ୍କଠାରୁ ଭିନେ ହୋଇ ନିଜର ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଗତ ସରକାରରେ ସବୁଠୁ ବିବାଦରେ ଥିଲା ପକ୍କାଘର । ମୋଦି କ୍ରେଡିଟ୍ ନେଇଯିବେ ବୋଲି ଗରିବଙ୍କୁ ବିଜେଡି ସରକାର ଦେଉନଥିଲା ଘର । ପିଏମ୍ ଆବାସକୁ ବିଜୁ ପକ୍କା ଘର କହି ଦଳୀୟ ଆଧାରରେ ବାଣ୍ଟୁଥିଲେ ଘର ।
ରାଜ୍ୟରେ ନୂଆ ସରକାର ହେବା ପରେ ମାତ୍ର ୧୦୦ ଦିନ ଭିତରେ ତିଆରି ହୋଇଛି ୯୯ ହଜାର ୯୮୭ ଆବାସ । ନଭେମ୍ବର ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ୪ ଲକ୍ଷ ୭୬ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ସାରିବାକୁ ଜିଲ୍ଲାପାଳଙ୍କୁ ଟାର୍ଗେଟ ଦେଇଛନ୍ତି ରାଜ୍ୟ ସରକାର । ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୧୪ରେ ଆବାସ ଥିଲା ବିଜେଡିର ଗ୍ୟାରେଣ୍ଟି । ୧୪ରୁ ୧୯, ୧୯ରୁ ୨୪- ଦୋଷ ଲଦି ଦାୟିତ୍ଵ ସାରି ଦଲେ ବିଜେଡି ସରକାର । ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ଯେଉଁଥିପାଇଁ ୨୦୧୬ ରୁ ୨୦୨୪ ମଧ୍ୟରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିଲା। ବିଧାନସଭା ତଥ୍ୟ ଏହାର ପୋଲ୍ ଖୋଲିଥିଲା ।
ପୂର୍ବ ବିଜେଡି ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଯୋଗ୍ୟଙ୍କୁ ମୂଳରୁ ଘର ମିଳୁନଥିବା ବେଳେ ଅଯୋଗ୍ୟଙ୍କୁ ଏକା ବେଳକେ ୩ଟି ଲେଖାଏଁ ଘର ମିଳୁଥିଲା । ହେଲେ ଏବେ ଯୋଗ୍ୟଙ୍କୁ ଚିହ୍ନଟ କରି ଘର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । ଆଉ ଯଦି ହିତାଧିକାରୀ ଚିହ୍ନଟରେ ବ୍ଲକ ଓ ପଞ୍ଚାୟତ ଅଧିକାରୀ ମାନେ କୌଣସି ତ୍ରୁଟି କରିବେ । ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ, ୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି । ଏହା ବାଦ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ।