
ନବରଙ୍ଗପୁର: ଚାଷୀମାନଙ୍କ ସୁବିଧା ନିମନ୍ତେ ରହିଛି ସରକାରଙ୍କ ମାଳ ମାଳ ଯୋଜନା । କିନ୍ତୁ ସେହିସବୁ ଯୋଜନାର ସୁବିଧା ନପାଇ ଚାଷୀକୁଳ ହତାଶ । ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିଲା ଶୀତଳ ଭଣ୍ଡାର, କିନ୍ତୁ ତାହା ଏବେ ଅଚଳ । ଯାହାଦ୍ଵାରା ଚାଷୀମାନଙ୍କ ପନିପରିବା ସବୁ ପଚିସଢି ନଷ୍ଟ ହେବାରେ ଲାଗିଛି ।

ପନିପରିବାର ଅଭାବି ବିକ୍ରି ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୪ ଲକ୍ଷ ବ୍ୟୟ ଅଟକଳର ଶୀତଳ ଭଣ୍ଡାରଟିଏ ନିର୍ମାଣ କରାଯାଇଥିଲା ନବରଙ୍ଗପୁର ଜିଲ୍ଲା ଶିରିଶି ଗ୍ରାମରେ। ନିର୍ମାଣ କାର୍ଯ୍ୟ ସରି ତିନିବର୍ଷ ବିତିଗଲାପରେ ମଧ୍ୟ କାମରେ ଆସୁନି ଶୀତଳ ଭଣ୍ଡାର । ଜଗୁଆଳି ଓ ଚାରିପଟେ ପାଚେରୀ ଅଭାବରୁ ଶୀତଳ ଭଣ୍ଡାରର ଅତ୍ୟାବଶ୍ୟକ ଜିନିଷ ସହ କାଚରେ ତିଆରି ଝରକା ସବୁ ଭାଙ୍ଗି ନଷ୍ଟ ହୋଇସାରିଲାଣି । ଆବଶ୍ୟକ ନଥିବା ସ୍ଥାନରେ ଲକ୍ଷାଧିକ ଟଙ୍କାର ଶୀତଳ ଭଣ୍ଡାର ନିର୍ମାଣ ହୋଇ ଆଜି ପର୍ଯ୍ୟନ୍ତ ତାଲା ପଡିରହିଛି । ଅବଶ୍ୟକୀୟ ପରିମାଣର ପନିପରିବା ଚାଷ ହେଉନଥିବା ସ୍ଥାନରେ ଏହି ଶୀତଳ ଭଣ୍ଡାରଟିର ନିର୍ମାଣକୁ ନିନ୍ଦା କରୁଛନ୍ତି ଚାଷୀକୁଳ । ଶୀତଳ ଭଣ୍ଡାରଟି କେଉଁ ସ୍ଥାନରେ ନିର୍ମାଣ ହେଇଛି , ଆଜି ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଚାଷୀ। ଶୀତଳ ଭଣ୍ଡାରଟି ତିଆରି ହେବା ପରେ, କୃଷକ କ୍ଲବ ଗଠନ କରିବା ସହ, କୃଷିବିଭାଗ ଏବଂ କୃଷକ କ୍ଲବକୁ ଶୀତଳ ଭଣ୍ଡାରଟି ହସ୍ତାନ୍ତର କରାଯିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ କୃଷକ କ୍ଲବର ଗଠନ ହେଇପାରିନାହିଁ । କାମଶେଷ ହେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଲା ପଡିରହିଛି ଶୀତଳ ଭଣ୍ଡାର । ଯାହାଫଳରେ ଚାଷୀ ବିଭିନ୍ନ ସମୟରେ ପନିପରିବାକୁ ଫିଙ୍ଗିଦେବା ସହ କିଲୋ ପିଛା ଟଙ୍କାଏ ଦୁଇ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଏହି ଶୀତଳ ଭଣ୍ଡାରଟିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରିଛନ୍ତି ଚାଷୀ ।

ଏନେଇ ଆମ ପ୍ରତିନିଧି ସ୍ଥାନୀୟ ବିଧାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ । ବିଗତ ଦିନରେ ବୃହତ ଶୀତଳ ଭଣ୍ଡାରଟିଏ ନିର୍ମାଣ ଲାଗି ଆମେ ପ୍ରସ୍ତାବ ଦେଇଥିଲୁ , କ୍ଷୁଦ୍ର ଶୀତଳ ଭଣ୍ଡାର ତିଆରି କରାଯାଇଥିବା ହେତୁ ତାହା କୌଣସି କାର୍ଯ୍ୟରେ ଆସୁନାହିଁ । କମିଟିର ସଦସ୍ୟମାନେ ଧ୍ୟାନ ଦେଉନାହାନ୍ତି, ଅନାଵଶ୍ୟକ ଜାଗାରେ ଶୀତଳ ଭଣ୍ଡାରର ନିର୍ମାଣ କରାଯାଇଛି , ଯାହାଦ୍ୱାରା ସରକାରଙ୍କ ପଇସା ପାଣିରେ ପଡିଲା ଭଳି ହେଇଗଲା ବୋଲି କହି ପ୍ରଶାସନିକ ଅଧିକାରୀଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଡାବୁଗାଁ ବିଧାୟକ ଭୁଜବଳ ମାଝୀ ।
ସରକାର ଏବଂ ଜିଲ୍ଲା ପ୍ରଶାସନ ଏହିଭଳି ଅଚଳ ହୋଇ ପଡିରହିଥିବା ଶୀତଳ ଭଣ୍ଡାର ଗୁଡିକୁ ଚିହ୍ନଟ କରି ଯଥା ଶୀଘ୍ର ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କଲେ ଚାଷୀକୁଳ ତାଙ୍କ ପନିପରିବାକୁ ଶୀତଳ ଭଣ୍ଡାରରେ ରଖି ଉଚିତ ସମୟରେ ତାକୁ ବିକ୍ରିକଲେ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
