ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ମୟୂରଭଞ୍ଜ ଜିଲ୍ଲାକୁ କରୁଛନ୍ତି ମୋହନ ମାଝୀ । ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବା ପାଇଁ ବାରିପଦାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ସମେତ ବିଶେଷ କରି ମହିଳାଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।
୯ ତାରିଖରେ ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରର ସୁଭଦ୍ରାର ଦ୍ଵିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ସ୍ଥାନୀୟ ଛଉ ପଡିଆ ନିକଟ କଲେଜ ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି । ଅକ୍ଟୋବର ୯ ତାରିଖ ଦିନ ୧୧ଟା ବେଳେ "ସୁଭଦ୍ରା ସମ୍ମିଳନୀ" ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ, ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ ।
ସୁଭଦ୍ରା ଓଡ଼ିଶା ଇତିହାସର ସବୁଠୁ ବଡ଼ ଯୋଜନା । ଯେଉଁଥିରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇ ସ୍ଵାବଲମ୍ବୀ ହେବାର ରାହା ପାଇବେ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର